ଗ୍ରାମ୍ୟ କୃଷି କର୍ମଚାରୀ ନିଲମ୍ବିତ

ବରଗଡ଼ ଅଫିସ୍‌,୧୫।୬(ପ୍ରେମାନନ୍ଦ ଖମାରୀ): ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ବଳରାମ ଯୋଜନାରେ ଅନ୍ତର୍ଭୁକ୍ତ କରାଇଦେବାକୁ କହି ଚଷୀଙ୍କୁ ଟଙ୍କା ଦାବି କରିବା ଜଣେ ଗ୍ରାମ୍ୟ କୃଷି କର୍ମଚାରୀ(ଭିଏଡବ୍ଲୁ)ଙ୍କୁ ମହଙ୍ଗା ପଡ଼ିଛି। ଅଭିଯୋଗ ପରେ ବରଗଡ଼ ଜିଲା ସୋହେଲା ବ୍ଲକ ଝର ପଞ୍ଚାୟତ ଅଞ୍ଚଳରେ କାର୍ଯ୍ୟ କରୁଥିବା ଭିଏଡବ୍ଲୁ ଅନିଲ କିଷାନଙ୍କୁ ନିଲମ୍ବନ କରାଯାଇଛି । ନିଲମ୍ବନ ସମୟରେ ଜିଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ ଉପସ୍ଥାନ ଦେବାକୁ ନିର୍ଦ୍ଦେଶ ରହିଛି ବୋଲି ଜିଲା ମୁଖ୍ୟ କୃଷି ଅଧିକାରୀ ଅଶୋକ କୁମାର ଅମାତ୍‌ କହିଛନ୍ତି ।

ସୂଚନା ଅନୁଯାୟୀ, ଭିଏଡବ୍ଲୁ କିଷାନ ଚାଷୀଙ୍କୁ ବଳରାମ ଯୋଜନାରେ ସାମିଲ କରାଇ ଦେବାକୁ ପ୍ରଲୋଭନ ଦେଖାଇ ମଧ୍ୟସ୍ଥିଙ୍କ ମାଧ୍ୟମରେ ୧୨୦୦ ଟଙ୍କା ଲେଖାଏଁ ସଂଗ୍ରହ କରୁଥିଲେ। ଏ ନେଇ କିଛି ଚାଷୀ ଜିଲା ମୁଖ୍ୟ କୃଷି ଅଧିକାରୀଙ୍କଠାରେ ଅଭିଯୋଗ କରିବା ସହିତ ସୋସିଆଲ ମିଡ଼ିଆ ମାଧ୍ୟମରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା । ବିଭାଗୀୟ ଅଧିକାରୀଙ୍କ ତଦନ୍ତ ପରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯାଇଥିଲା।