ପାରାଦୀପରେ ଗ୍ୟାସ୍‌ ନିର୍ଗତ ନେଇ ଚର୍ଚ୍ଚା

ପାରାଦୀପ,୯।୭(ସ୍ବ.ପ୍ର.): ପାରାଦୀପ ବନ୍ଦର ସହରରେ ଚାରି ଦିନ ହେଲା ରସାୟନ ଗ୍ୟାସ୍‌ ନିର୍ଗତ ହେଉଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଏପରି କି ବୁଧବାର ଅଠରବାଙ୍କି ଅଞ୍ଚଳର ଜଣେ ବ୍ୟକ୍ତି ଆମୋନିଆ ଗ୍ୟାସ ପ୍ରଭାବରେ ଅସୁସ୍ଥ ହୋଇଛନ୍ତି ବୋଲି ଗଣମାଧ୍ୟମରେ ଅଭିଯୋଗ କରିଛନ୍ତି। ସେ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଗ୍ୟାସ ଲିକ୍‌ ଯୋଗୁ ତାଙ୍କ ଆଖି, ନାକ ପୋଡ଼ିବା ସହ ଛାତିରେ ଯନ୍ତ୍ରଣା ହେଉଛି। ଏହି ଗ୍ୟାସ ପାରାଦୀପରେ ଥିବା ଏକ ସାରକାରଖାନାର ବୋଲି କୁହାଯାଇଛି। ସୂଚନାଯୋଗ୍ୟ, ୩ ତାରିଖରେ ଅଠରବାଙ୍କିରେ କିଛି ସମୟ ଧୂଅଁା ଭଳି ଆଚ୍ଛଦିତ ହୋଇ ଯାଇଥିଲା। ସେତେବେଳେ ବର୍ଷା ହୋଇଥିବାରୁ ଏହାର ପ୍ରଭାବ ଜଣାପଡିଥିଲା। ସେହି ଗ୍ୟାସ ଆସ୍ତରଣ ପିପିଏଲ କମ୍ପାନୀ ଛାଡି ଥିଲା ବୋଲି ଚର୍ଚ୍ଚା ଜୋର ଧରିଥିଲା। ଯାହାକୁ କମ୍ପାନୀ କର୍ତ୍ତୃପକ୍ଷ ସେତେବେଳେ ଖଣ୍ଡନ କରିଥିଲେ। ବୁଧବାର ସେମିତି କୌଣସି ଲକ୍ଷଣ ଅଞ୍ଚଳରେ ଦେଖାଯାଇ ନ ଥିଲେ ମଧ୍ୟ ଅଭିଯୋଗ ହୋଇଛି।