୨୦ ବିଧାୟକଙ୍କ ଦିଲ୍ଲୀ ଗସ୍ତକୁ ନେଇ ଚର୍ଚ୍ଚା ବଢୁଛି

ଭୁବନେଶ୍ୱର,୪।୪(ବ୍ୟୁରୋ): ଭାଜପାର ସବୁ ବିଧାୟକମାନଙ୍କ ଏକାସଙ୍ଗେ ନୂଆଦିଲ୍ଲୀ ଗସ୍ତ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର୍‌ ଧରିଥିଲା। ହଠାତ୍‌ ବିଧାନସଭା ଶେଷ ହେବା ପରେ ସେହିଦିନ ବିଳମ୍ବିତ ରାତିରେ ସମସ୍ତ ଭାଜପା ବିଧାୟକଙ୍କ ଏଭଳି ଦିଲ୍ଲୀ ଗସ୍ତ ପରେ ବିରୋଧୀ ଦଳ ନେତା ପଦ ପରିବର୍ତ୍ତନ ହୋଇପାରେ ବୋଲି କୁହାଯାଉଛି। ତେବେ ଅଧିକାଂଶ ବିଧାୟକ ରବିବାର ବିଳମ୍ବିତ ସାରେ ଭୁବନେଶ୍ୱର ଫେରି ଆସିଛନ୍ତି। ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ଦିଲ୍ଲୀରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକଙ୍କୁ ଦେଖିବା ଲାଗି ସମସ୍ତେ ଯାଇଥିବା କଥା ବିଧାୟକମାନେ କହିଛନ୍ତି। ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ କହିଛନ୍ତି, ବିରୋଧୀ ଦଳ ନେତାଙ୍କ ସ୍ବାସ୍ଥ୍ୟବସ୍ଥା ବିଷୟରେ ବୁଝିବା ସହ ତାଙ୍କୁ ଦେଖିବାକୁ ଯାଇଥିଲୁ। ଅନ୍ୟ କୌଣସି ରାଜନୈତିକ ଉଦ୍ଦେଶ୍ୟ ନ ଥିଲା। ତେବେ ଏହି ଅବସରରେ ଓଡିଶାର ୩ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଦାନ, ଅଶ୍ୱିନୀ ବୈଷ୍ଣବ ଏବଂ ବିଶ୍ୱେଶ୍ୱର ଟୁଡୁଙ୍କ ସହ ସାକ୍ଷାତ କରିଥିଲୁ। ଆଗାମୀ ଦିନରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ଲାଗି ସମୟ ମାଗିଥିବା କଥା ସେ କହିଛନ୍ତି।
ଯେ, ବିରୋଧୀ ଦଳ ନେତା କିଛି ମାସ ହେବ କୋଭିଡ୍‌ରେ ଆକ୍ରାନ୍ତ ହୋଇ ଗୁରୁତର ହୋଇପଡିଥିଲେ। ଏହାପରେ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ସାମାନ୍ୟ ସୁଧାର ଆସିଥିବା ବେଳେ ପରବର୍ତ୍ତୀ ସମୟରେ ତାହା ବିଗିଡିଯାଇଥିଲା। ତେଣୁ ତାଙ୍କୁ ଦିଲ୍ଲୀକୁ ସ୍ଥାନାନ୍ତର କରାଯିବା ସହ ସେଠାରେ ତାଙ୍କର ଚିକିତ୍ସା ଚାଲିଛି। ହେଲେ ଓଡିଶା ଭବନରେ ଭାଜପା ବିଧାୟକମାନେ ରହିବା ଏବଂ ଏହି ସମୟରେ ଜଣେ ଟାଣୁଆ ବିଜେଡି ନେତା ସେଠାରେ ରହିଥିବା ଖବର କିନ୍ତୁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଗୋଟିଏ ସମୟରେ ଏମିତି ବିଜେଡି ନେତାଙ୍କ ଯିବା ଏବଂ ସମାନଭାବେ ଭାଜପା ବିଧାୟକମାନେ ଯିବା ପଛରେ ବଡ ରାଜନୈତିକ ଉଦ୍ଦେଶ୍ୟ ଥାଇପାରେ ବୋଲି କୁହାଯାଉଛି।