ଶାସକ ଦଳର ଗୁଣ୍ଡାଗର୍ଦ୍ଦି ଗଣତନ୍ତ୍ର ପ୍ରତି ବିପଦ: ଭାଜପା

ଭୁବନେଶ୍ୱର, ୯ା୨(ବ୍ୟୁରୋ):ସରକାରୀ କଳର ଅପବ୍ୟବହାର କରି ଶାସକ ଦଳ କାର୍ଯ୍ୟକର୍ତ୍ତାଙ୍କ ଗୁଣ୍ଡାଗର୍ଦ୍ଦି ବର୍ତ୍ତମାନ ରାଜ୍ୟର ସ୍ବଚ୍ଛ ଗଣତନ୍ତ୍ର ପ୍ରତି ବିପଦ ଆଣିଛି। ଏହାସତ୍ତ୍ୱେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ସମସ୍ତ ବିଧିବ୍ୟବସ୍ଥାକୁ ଫୁ କରିଦେଇ ବ୍ୟାପକ ଅର୍ଥ ବଣ୍ଟନ ନିର୍ବାଚନ ଆଚରଣ ବିଧିକୁ ସମ୍ପୂର୍ଣ୍ଣ ଉଲ୍ଲଂଘନ କରୁଛି। ଚଳିତ ପଞ୍ଚାୟତ ନିର୍ବାଚନରେ ଭୋଟରଙ୍କୁ ଟଙ୍କା। ବାଣ୍ଟି ଭୟଭୀତ କରାଇ ଜୋରଜବରଦସ୍ତ ଭୋଟ ହାତେଇବାର ବହୁ ଘଟଣାର ଭିଡିଓ ସର୍ବସାଧାରଣରେ ଭାଇରାଲ ହେଉଛି। ତଥାପି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ବୋଲି ନିର୍ବାଚନ କମିଶନଙ୍କ ନିକଟରେ ଭାଜପା ପ୍ରତିନିଧି ଦଳ ଦାବି କରିଛି। ମଙ୍ଗଳବାର ଭାଜପା ତରଫରୁ ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ତଥ୍ୟ ଓ ପ୍ରମାଣ ସହିତ ଅଭିଯୋଗ କରାଯିବା ସହ ଏହି ଘଟଣାର ବିହୀତ କାର୍ଯ୍ୟାନୁଷ୍ଠାନ ଲାଗି ଦାବି କରାଯାଇଛି। ଭାଜପା ଅଭିଯୋଗ କରିଛି, ମାଲକାନଗିରିର ଜିଲା ପରିଷଦ ଜୋନ୍‌-୩ ଗୁମୁଖା ପଞ୍ଚାୟତରେ ଏକ ନିର୍ବାଚନୀ ସଭାରେ ଶାସକ ବିଜେଡି ନେତୃବୃନ୍ଦ ଖୋଲାଖୋଲି ଟଙ୍କା ବାଣ୍ଟି ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ନିର୍ଦ୍ଦେଶ ଦେଉଛନ୍ତି। ସେହିପରି ପୁରୀ ଜିଲା କାକଟପୁର ନିର୍ବାଚନମଣ୍ଡଳୀର ଜୋନ୍‌-୭ରେ ମଧ୍ୟ ବିଜେଡି କାର୍ଯ୍ୟକର୍ତ୍ତାମାନେ ଧମକଚମକ ଦେଇ ଭୋଟରଙ୍କୁ ଭୟଭୀତ କରିବାର ଦୃଶ୍ୟ ଭାଇରାଲ ହୋଇଛି। ଏହି ୨ ଘଟଣାରେ ଶାସକ ଦଳ କାର୍ଯ୍ୟକର୍ତ୍ତାଙ୍କ ଆଚରଣ ବିଧି ଉଲ୍ଲଂଘନକୁ ନେଇ ବିହୀତ ପଦକ୍ଷେପ ଗ୍ରହଣ ଦାବିରେ ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଭାଜପା ଦାବି କରିଛି।