୧୪ ସ୍ଥାନରେ ହେବ ଆର୍‌ଟି-ପିସିଆର୍‌ ଟେଷ୍ଟ ଲାବ୍‌

ଭୁବନେଶ୍ୱର,୫।୮(ବ୍ୟୁରୋ): ରାଜ୍ୟରେ ଏବେ କରୋନା ଦ୍ୱିତୀୟ ଲହରର ଭୟାବହତା ଥିବା ବେଳେ ଚଳିତ ମାସ ଶେଷ ଆଡ଼କୁ ତୃତୀୟ ଲହର ଆସିବ ବୋଲି ହାଇଦ୍ରାବାଦ ଓ କାନପୁର ଆଇଆଇଟି ଚେତାବନୀ ଦେଇଛି। ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ବିଜୟ ମହାପାତ୍ର କହିଛନ୍ତି। ସେ କହିଛନ୍ତି, ଏ ନେଇ ସରକାର ସଚେତନ ଅଛନ୍ତି। ତୃତୀୟ ଲହର ପ୍ରଭାବ ରୋକିବାକୁ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯାଇଛି। ଏଥିଲାଗି ଦୁଇଟି ଜିନିଷ ଆବଶ୍ୟକ। ପ୍ରଥମତଃ ରୋଗୀ ଚିହ୍ନଟ ସହ ସର୍ଭେଲାନ୍ସ ଜାରି ରଖିବା ଏବଂ ଦ୍ୱିତୀୟରେ ଗୁରୁତରଙ୍କର ଠିକ୍‌ ଭାବେ ଚିକିତ୍ସା କରାଯିବା। ରାଜ୍ୟ ସରକାର ଏହି ଦୁଇଟି ଦିଗ ସହ ଟିକାକରଣ ଉପରେ ମଧ୍ୟ ଗୁରୁତ୍ୱ ଦେଉଛନ୍ତି। ସେହିପରି ରାଜ୍ୟର ଆଉ ୧୪ଟି ସ୍ଥାନରେ ଆର୍‌ଟି-ପିସିଆର୍‌ ଟେଷ୍ଟ ଲାବ ସ୍ଥାପନ କରାଯିବ ବୋଲି ସେ ବୁଧବାର ସୂଚନା ଦେଇଛନ୍ତି। ରାଜ୍ୟରେ କରୋନାଜନିତ ମୃତ୍ୟୁ ବୃଦ୍ଧିକୁ ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ଏବେ ଯେଉଁ ମୃତ୍ୟୁ ତଥ୍ୟ ରହୁଛି, ତାହା ପୁରୁଣା ତଥ୍ୟରୁ ଅଡିଟେଡ୍‌ ହୋଇଆସୁଛି। ଯେତେବେଳେ ମହାମାରୀ ଶେଷ ହେବ, ସେତେବେଳେ ହିଁ ବାସ୍ତବ ମୃତ୍ୟୁ ହାର ଜଣାପଡ଼ିବ।
ଅନ୍ୟପକ୍ଷରେ ରାଜ୍ୟରେ ଦୈନିକ ସଂକ୍ରମଣ ହାର ପୁଣି ୨% ଊର୍ଦ୍ଧ୍ୱଗାମୀ ହୋଇଛି। ଗତ ୨୪ଘଣ୍ଟାରେ ୬୫,୨୦୯ ନମୁନା ପରୀକ୍ଷା କରାଯାଇଥିବା ବେଳେ ୧,୩୧୫ ପଜିଟିଭ୍‌ ବାହାରିଛନ୍ତି। ଫଳରେ ସଂକ୍ରମଣ ହାର ୨.୦୨%ରେ ପହଞ୍ଚତ୍ଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୪୧୩ ଓ କଟକରୁ ୧୯୮ଜଣ ରହିଛନ୍ତି। ବାକି ସବୁ ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ଶହେ ତଳକୁ ରହୁଛି। ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତ ସଂଖ୍ୟା ୯,୮୨,୧୮୧କୁ ବୃଦ୍ଧି ପାଇଛି। ରାଜ୍ୟରେ ଆଉ ୬୬ଜଣଙ୍କ କରୋନାଜନିତ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଫଳରେ ରାଜ୍ୟରେ ଏହି ମୃତ୍ୟୁ ସଂଖ୍ୟା ୬,୧୬୮କୁ ବୃଦ୍ଧି ପାଇଛି। ବୁଧବାର ଆଉ ୧,୬୩୦ ରୋଗୀ କରୋନାରୁ ସୁସ୍ଥ ହୋଇଛନ୍ତି। ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୯,୬୩,୭୧୮ରେ ପହଞ୍ଚତ୍ଛି। ବର୍ତ୍ତମାନ ୧୨,୨୪୨ ସକ୍ରିୟ ରୋଗୀ ରହିଛନ୍ତି।