୧୫ ସୁଦ୍ଧା ସବୁ ଜିଲାରେ ଆର୍‌ଟି-ପିସିଆର୍‌ ଲାବ୍‌

ଭୁବନେଶ୍ୱର, ୧୨ା୮(ବ୍ୟୁରୋ): ରାଜ୍ୟର ସମସ୍ତ ଜିଲାରେ ଚଳିତ ମାସ ୧୫ ତାରିଖ ସୁଦ୍ଧା ଆର୍‌ଟି-ପିସିଆର୍‌ ଟେଷ୍ଟ ଲାବ୍‌ କାର୍ଯ୍ୟକ୍ଷମ ହେବ। ଏ ନେଇ ବୁଧବାର ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏବେ ସୁଦ୍ଧା ୧୪ ଜିଲାରେ ଆର୍‌ଟି-ପିସିଆର ଟେଷ୍ଟ ଲାବ୍‌ ରହିଛି। ଆଉ ୧୬ ଜିଲାରେ ଲାବ୍‌ ସ୍ଥାପନ ଲାଗି ଟେଣ୍ଡର ଦିଆସରିଛି। ବିଏସ୍‌ଏଲ୍‌୨ ଲାବୋରେଟୋରି ସ୍ଥାପନ କାମ ଚାଲିଛି। ଉପକରଣ ଓ ଯନ୍ତ୍ରାଂଶ ଲଗାଯାଉଛି। ଅଗଷ୍ଟ ୧୫ ପୂର୍ବରୁ ସବୁ ଲାବ୍‌ ଚାଲୁ ହେବ ବୋଲି ଯୋଜନା ରହିଛି।
ରାଜ୍ୟର ଯେଉଁ ୧୬ ଜିଲାରେ ଲାବ୍‌ ସ୍ଥାପନ ଲାଗି ଯୋଜନା ହୋଇଛି ସେଗୁଡ଼ିକ ହେଲା ଭଦ୍ରକ, ବୌଦ୍ଧ, ଢେଙ୍କାନାଳ, ଖୋର୍ଦ୍ଧା, ଯାଜପୁର, ଗଜପତି, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, କନ୍ଧମାଳ, ବରଗଡ଼, ରାୟଗଡ଼ା, ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼। ପୂର୍ବରୁ ଏହି ଜିଲାଗୁଡ଼ିକରେ ଆର୍‌ଟି-ପିସିଆର୍‌ ଟେଷ୍ଟ ପାଇଁ ନମୁନା ପ୍ରାୟତଃ ଭୁବନେଶ୍ୱର, କଟକ, ବାଲେଶ୍ୱର, ବଲାଙ୍ଗୀର ଓ କୋରାପୁଟକୁ ପଠାଯାଇଥାଏ। ଆର୍‌ଟି-ପିସିଆର୍‌ ରିପୋର୍ଟ ପାଇଁ ୪ରୁ ୫ଦିନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ୁଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲାବୋରେଟୋରି ସ୍ଥାପନ ପାଇଁ ୨୦କୋଟି ଟଙ୍କା ଅନୁମୋଦନ କରିଛନ୍ତି। ଏବେ ସବୁ ଜିଲାରେ ଲାବ୍‌ କାର୍ଯ୍ୟକ୍ଷମ ହେଲେ ଲୋକେ ରିପୋର୍ଟ ମଧ୍ୟ ଶୀଘ୍ର ପାଇପାରିବେ।
ରାଜ୍ୟରେ କରୋନା ସ୍ଥିତିକୁ ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, କରୋନା ସଂକ୍ରମଣକୁ ଟ୍ବେଣ୍ଟି-ଟ୍ବେଣ୍ଟି ଗେମ୍‌ ଭାବେ ଦେଖନ୍ତୁ ନାହିଁ। କ୍ରମାଗତ ଭାବେ ଗ୍ରାଫ୍‌ ଦେଖିଲେ ସଂକ୍ରମଣ କମୁଛି ବୋଲି ଜାଣିପାରିବେ। ଯେଉଁ ଜିଲାରେ ଆଗରୁ ଅଧିକ ଆକ୍ରାନ୍ତ ବାହାରୁଥିଲେ, ଏବେ ସେଠାରେ ସଂକ୍ରମଣ ଢେର୍‌ କମିଗଲାଣି। ଆତଙ୍କିତ ହେଲା ଭଳି କୌଣସି ଅବସ୍ଥା ନାହିଁ। ଆମର ଜିନମ୍‌ ସିକ୍ୱେନ୍‌ସିଂ କାମ ମଧ୍ୟ ଚାଲିଛି ବୋଲି ଡା. ମିଶ୍ର କହିଛନ୍ତି।