ବ୍ରହ୍ମପୁର,୨୧ା୧୧(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ବ୍ଲକର ବାଲ୍ୟସରା ଗ୍ରାମପଞ୍ଚାୟତରେ ଷ୍ଟ୍ରିଟ ଲାଇଟ୍ ସ୍ଥାପନ ଓ ରକ୍ଷଣାବେକ୍ଷଣ ନାଁରେ ସରକାରୀ ଅର୍ଥ ହଡ଼ପ ମାମଲାରେ ଭିଜିଲାନ୍ସ ଶନିବାର ୩ ଜଣଙ୍କୁ ବାନ୍ଧିଛି। ସେମାନେ ହେଲେ ବାଲ୍ୟସରା ପଞ୍ଚାୟତର ପୂର୍ବତନ ପିଇଓ ତଥା ବର୍ତ୍ତମାନ ରଙ୍ଗେଇଲୁଣ୍ଡା ବ୍ଲକରେ କାର୍ଯ୍ୟରତ ଜେ. ରାମା ରାଓ, କବିସୂର୍ଯ୍ୟନଗର ବ୍ଲକର କନିଷ୍ଠ ଯନ୍ତ୍ରୀ (ଜେଇ) ତଥା ବାଲ୍ୟସରା ପଞ୍ଚାୟତ ଦାୟିତ୍ୱରେ ଥିବା ସବ୍ୟସାଚୀ ଗନ୍ତାୟତ ଏବଂ ପୁରୁଷୋତ୍ତମପୁରର ମା’ ତାରାତାରିଣୀ କନଷ୍ଟ୍ରକ୍ସନର ମାଲିକ ତଥା ଠିକାଦାର କୃଷ୍ଣଚନ୍ଦ୍ର ବେହେରା। ବ୍ରହ୍ମପୁର ଭିଜିଲାନ୍ସ ମାମଲା ନଂ.୧୪/୨୬ରେ ସେମାନଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି।
ବାଲ୍ୟସରା ପଞ୍ଚାୟତର ୫ଟି ଗ୍ରାମରେ ୧୨୨ଟି ଷ୍ଟ୍ରିଟ ଲାଇଟ ଲଗାଯାଇଥିବା ଦର୍ଶାଇ ବିଲ୍ ପ୍ରସ୍ତୁତ କରାଯାଇଥିଲା। ହେଲେ ବାସ୍ତବରେ ମାତ୍ର ୨୦ଟି ଲାଇଟ ଲଗାଯାଇଥିବା ବେଳେ ଅବଶିଷ୍ଟ ୧୦୨ଟି ଲାଇଟ ଲଗାଯାଇ ନ ଥିଲା। ଏହାସତ୍ତ୍ୱେ ୨୦୨୧-୨୨ ଆର୍ଥିକ ବର୍ଷରେ ସମସ୍ତ ୧୨୨ଟି ଲାଇଟ୍ ଲଗାଯାଇଥିବା ଦର୍ଶାଇ ଠିକାଦାର କୃଷ୍ଣଚନ୍ଦ୍ରଙ୍କୁ ୭ ଲକ୍ଷ ୭୫ ହଜାର ୯୩୯ ଟଙ୍କା ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟରେ ୧୦୨ଟି ଲାଇଟ ନ ଲଗାଇ ୬ ଲକ୍ଷ ୮୩ ହଜାର ୪୬୫ ଟଙ୍କା ହଡ଼ପ କରାଯାଇଥିବା ଭିଜିଲାନ୍ସ ତଦନ୍ତରୁ ଜଣାପଡ଼ିଛି।
ସେହିପରି ଷ୍ଟ୍ରିଟ ଲାଇଟ ରକ୍ଷଣାବେକ୍ଷଣ ବାବଦରେ ଜେ. ରାମା ରାଓଙ୍କୁ ୯୭ହଜାର ୫୦୦ ଟଙ୍କା ପ୍ରଦାନ କରାଯାଇଥିଲା। କିନ୍ତୁ ୪୧ ହଜାର ୪୯୩ ଟଙ୍କାର ରକ୍ଷଣାବେକ୍ଷଣ କାର୍ଯ୍ୟ କରାଯାଇ ନ ଥିବା ଏବଂ ଏହି ଅର୍ଥ ହଡ଼ପ ହୋଇଥିବା ଜଣାପଡ଼ିଛି। ଏପରି ମୋଟ ୭ ଲକ୍ଷ ୨୪ ହଜାର ୯୫୮ ଟଙ୍କାର ସରକାରୀ ଅର୍ଥ ଆତ୍ମସାତ୍ ହୋଇଥିବା ଭିଜିଲାନ୍ସ ତଦନ୍ତରୁ ସ୍ପଷ୍ଟ ହୋଇଛି। ଏହି ଘଟଣାରେ ବ୍ରହ୍ମପୁର ଭିଜିଲାନ୍ସ ପୂର୍ବତନ ପିଇଓ, ଜେଇ ଓ ଠିକାଦାର ଏବଂ ବାଲ୍ୟସରା ପଞ୍ଚାୟତର ପୂର୍ବତନ ସରପଞ୍ଚ ଝୁଲି ସେଠୀଙ୍କୁ ଅଭିଯୁକ୍ତ ଦର୍ଶାଇଛି।