ମହାଗ୍ରାମ୍‌ କମ୍ପାନୀର ୬.୫୭ କୋଟି ଟଙ୍କା ଫ୍ରିଜ୍‌

ଭୁବନେଶ୍ୱର, ୪।୫(ବ୍ୟୁରୋ): ଗ୍ରାହକଙ୍କୁ ଲୋନ୍‌ ଆପ୍‌ ଦ୍ୱାରା ଟଙ୍କା ଦେଇ ପରେ ଅଧିକ ସୁଧ ସହ ଋଣ ଶୁଝିବାକୁ ବାଧ୍ୟକରି ମାନସିକ ନିର୍ଯାତନା ଦିଆଯାଉଥିଲା। ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ) ଏବଂ ଗ୍ରାହକଙ୍କ ଅଭିଯୋଗକୁ ଆଧାର କରି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଉକ୍ତ ଆପ୍‌ ସଂସ୍ଥା ବିରୋଧରେ ଏକ ମାମଲା (ନଂ. ୦୯/୨୦୨୨) ରୁଜୁ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଇଓଡବ୍ଲ୍ୟୁ ତଦନ୍ତ ସମୟରେ ‘ମହାଗ୍ରାମ୍‌ ପେମେଣ୍ଟ୍‌ସ ପ୍ରାଇଭେଟ ଲିମିଟେଡ’ର ୪ଟି ଆକାଉଣ୍ଟରୁ ୬ କୋଟି ୫୭ ଲକ୍ଷ ୩୪ ହଜାର ୮୨୯ ଟଙ୍କା ଫ୍ରିଜ୍‌(ଅଚଳ) କରିଛି। ଦେଶର ବିଭିନ୍ନ ପ୍ରାନ୍ତରେ ଲୋକମାନେ ଏହି କମ୍ପାନୀ ଦ୍ୱାରା ଠକେଇର ଶିକାର ହୋଇଛନ୍ତି। ପୋଲିସଠାରୁ ବର୍ତ୍ତିବା ପାଇଁ ଉକ୍ତ କମ୍ପାନୀ ବିଭିନ୍ନ କୌଶଳ ଆପଣାଉଥିବାରୁ ଇଓଡବ୍ଲ୍ୟୁ ଏହାକୁ ଗୁରୁତ୍ୱର ସହ ତଦନ୍ତ କରୁଛି। ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିବାକୁ ୩ଟି ସ୍ବତନ୍ତ୍ର ଟିମ୍‌ ଗଠନ କରିଛି। ଏହି ଟିମ୍‌ ମହାରାଷ୍ଟ୍ର, ବିହାର, ଉତ୍ତରପ୍ରଦେଶ ଓ ନୂଆଦିଲ୍ଲୀ ଆଦି ରାଜ୍ୟରେ ଆପ୍‌ର ଚେର ଖୋଜିବାକୁ ତଦନ୍ତ ଜାରି ରଖିଛି। ଏଥିସହ ଇଓଡବ୍ଲ୍ୟୁ ତେଲଙ୍ଗାନା ଓ ହାଇଦ୍ରାବାଦ୍‌ ପୋଲିସର ସହାୟତା ଲୋଡ଼ିଛି। ଅପରପକ୍ଷରେ ଇଓଡବ୍ଲ୍ୟୁ ଟେକ୍ନିକାଲ ଏକ୍ସପଟର୍‌ସ, ବ୍ୟାଙ୍କ କର୍ମଚାରୀ ଏବଂ ଚାର୍ଟାର୍ଡ ଆକାଉଣ୍ଟାଣ୍ଟଙ୍କ ମଧ୍ୟ ସହାୟତା ନିଆଯାଇଥିବା ଇଓଡବ୍ଲ୍ୟୁ ପକ୍ଷରୁ ମଙ୍ଗଳବାର ସୂଚନା ଦିଆଯାଇଛି।
ସୂଚନା ଅନୁଯାୟୀ, ‘ମହାଗ୍ରାମ ପେମେଣ୍ଟ୍‌ସ ପ୍ରାଇଭେଟ ଲିମିଟେଡ୍‌’ ସଂସ୍ଥାର ଗୁଗଲ ପ୍ଲେ-ଷ୍ଟୋରରେ ଜୋଜୋ ଓ କୋକୋ ନାମରେ ୨ଟି ଲୋନ୍‌ ଆପ୍‌ ରହିଛି। ଏଥିପାଇଁ ଆପ୍‌ ସଂସ୍ଥା ପକ୍ଷରୁ ଆର୍‌ବିଆଇରେ ପଞ୍ଜୀକରଣ କରାଯାଇନାହିଁ। ଗ୍ରାହକମାନେ ଲୋନ୍‌ ପାଇବାକୁ ଏହି ୨ଟି ଆପ୍‌କୁ ଗୁଗଲ ପ୍ଲେ-ଷ୍ଟୋରରୁ ଡାଉନଲୋଡ୍‌ କରିବାର କିଛି ସମୟ ମଧ୍ୟରେ ଲିଙ୍କ୍‌ ଏବଂ ୟୁପିଆଇ ଜରିଆରେ ୩ ହଜାରରୁ ୫ ହଜାର ଟଙ୍କା ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିଯାଏ। ଅପରପକ୍ଷରେ ଏହି ଆପ୍‌ ଦ୍ୱାରା ଗ୍ରାହକଙ୍କ ମୋବାଇଲର ସମସ୍ତ ଡାଟା ସହ କଣ୍ଟାକ୍ଟ ଲିଷ୍ଟ (ଯୋଗାଯୋଗ ତାଲିକା) ମଧ୍ୟ ସେମାନେ ନେଇଯାଆନ୍ତି। ସଂସ୍ଥାର ଏଜେଣ୍ଟମାନେ ଗୋଟିଏ ସପ୍ତାହ ମଧ୍ୟରେ ଗ୍ରାହକଙ୍କୁ ଅଧିକ ସୁଧ ସହ ଲୋନ ଟଙ୍କା ଫେରାଇବାକୁ ବାଧ୍ୟ କରିଥାନ୍ତି। ଗ୍ରାହକମାନେ ସେମାନଙ୍କ କଥାରେ ରାଜି ନ ହେଲେ କମ୍ପାନୀ ପକ୍ଷରୁ ନିର୍ଯାତନା ଦିଆଯାଏ। ଗ୍ରାହକଙ୍କ ସମ୍ପର୍କୀୟଙ୍କ ନମ୍ବରଙ୍କୁ ସେମାନଙ୍କ ଅଶ୍ଳୀଳ ଫଟୋ ପଠାଇ ବ୍ଲାକମେଲ୍‌ କରିଥାନ୍ତି। ଏଥିସହ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ ମଧ୍ୟ କରିଥାନ୍ତି। ତେବେ ସଂସ୍ଥା ଦ୍ୱାରା ନିର୍ଯାତନାର ଶିକାର ହୋଇ ଏକାଧିକ ଗ୍ରାହକ ଆତ୍ମହତ୍ୟା ମଧ୍ୟ କରିଥିବା ଇଓଡବ୍ଲ୍ୟୁ ପକ୍ଷରୁ କୁହାଯାଇଛି। ତେବେ ରାଜ୍ୟର ବିଭିନ୍ନ ଜିଲାର ଲୋକେ ଏ ନେଇ ଇଓଡବ୍ଲ୍ୟୁରେ ଅଭିଯୋଗ କରିବା ପରେ ତଦନ୍ତ ଆରମ୍ଭ ହୋଇଛି। ଆଏନ୍‌ ଲୋନ, ବେଲୁନ ଆପ୍‌, ଫ୍ଲିପ୍‌କ୍ୟାଶ୍‌, ଲୋନ୍‌ ଇଣ୍ଡିଆ, ଲୋନ୍‌ ଲୋନ୍‌, ପ୍ଲାମ୍‌ ଟ୍ରି ଭଳି ବେନାମୀ ଆପ୍‌ ଗୁଗୁଲ ପ୍ଲେ’ ଷ୍ଟୋରରେ ରହିଛି। ଏପରି ବେଆଇନ୍‌ ଲୋନ ଆପ୍‌କୁ ଡାଉନଲୋଡ୍‌ ନ କରିବାକୁ ଇଓଡବ୍ଲ୍ୟୁ ପକ୍ଷରୁ ପରାମର୍ଶ ଦିଆଯାଇଛି।