Categories: ରାୟଗଡା

ଏଟିଏମ୍‌ରୁ ୫୫ ହଜାର ଟଙ୍କା, କାର୍ଡ ଚୋରି

ଗୁଣପୁର,୧୩ା୬(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ଗୁଣପୁର ସହର ବିକ୍ରମପୁର ସ୍ଥିତ ଏସ୍‌ବିଆଇର ଏକ ଏଟିଏମ୍‌ରୁ ଜଣେ ବ୍ୟକ୍ତିଙ୍କ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି। ଚୋରି ସମୟର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ସିସିଟିଭି ଫୁଟେଜ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି।
ଅଭିଯୋଗରୁ ଜଣାଯାଏ, ବିକ୍ରମପୁର ଅଞ୍ଚଳର ଜି. ଉପେନ୍ଦ୍ର ୫୫ ହଜାର ଟଙ୍କା ଧରି ଏଟିଏମ୍‌ରେ ଜମା କରିବାକୁ ଯାଇଥିଲେ। ଏହି ସମୟରେ ତାଙ୍କ ମୋବାଇଲକୁ ଏକ କଲ୍‌ ଆସିବାରୁ ଅନ୍ୟମନସ୍କ ହୋଇ ଏଟିଏମ୍‌ ଉପରେ ଟଙ୍କା ଏବଂ ଏଟିଏମ୍‌ କାର୍ଡ ରଖି କଥା ହେବାକୁ ବାହାରକୁ ଆସିଯାଇଥିଲେ। ପରବର୍ତ୍ତି ସମୟରେ ସେ ସେଠାରେ ଟଙ୍କା ନ ଥିବା ଜାଣି ଉପେନ୍ଦ୍ର ଥାନାରେ ଅଭିଯୋଗ କରିଥିଲେ। ଅନ୍ୟ ଜଣେ ବ୍ୟକ୍ତି ଉକ୍ତ ଟଙ୍କା ନେଇ ଚାଲିଯାଇଥିବା ଏଟିଏମ୍‌ରେ ଥିବା ସିସିଟିଭି ଫୁଟେଜ ଯାଞ୍ଚ ସମୟରେ ଜଣାପଡ଼ିଛି। ଉପେନ୍ଦ୍ର ବାହାରକୁ ଚାଲିଯିବା ପରେ ସମ୍ପୃକ୍ତ ବ୍ୟକ୍ତି ଏଟିଏମ୍‌କୁ ଆସିଥିଲେ। ନିଜେ ଟଙ୍କା ଉଠାଇବା ସହ ଏଟିଏମ୍‌ ଉପରେ ପୂର୍ବରୁ ଥିବା ଟଙ୍କା ଏବଂ ଏଟିଏମ୍‌ କାର୍ଡ ମଧ୍ୟ ନେଇଯାଇଥିବା ଫୁଟେଜରୁ ସ୍ପଷ୍ଟ ହୋଇଛି। ପୋଲିସ ଏହି ଆଧାରରେ ତଦନ୍ତ ଚଳାଇଥିବା କହିଛି।