ରାସ୍ତାରେ ଖୁଚୁରା ଟଙ୍କା ପକାଇ ମୁହୂର୍ତ୍ତକ ଭିତରେ ନେଇଗଲେ ୫ ଲକ୍ଷ ଟଙ୍କା ଭର୍ତ୍ତି ବ୍ୟାଗ

ଗଜପତି,(ଗିରିଧାରୀ ପରିଛା) ୧।୮: ଦିନଦ୍ୱିପ୍ରହରରେ ବ୍ୟାଙ୍କ ସାମ୍ନାରେ ଫିଲ୍ମ ଷ୍ଟାଇଲରେ  ଲୁଟ୍। ରାସ୍ତାରେ ଖୁଚୁରା ଟଙ୍କା ପକାଇ ଧ୍ୟାନ ଭୁଲାଇଦେଲେ, ଆଉ ମୁହୂର୍ତ୍ତକ ଭିତରେ ୫ ଲକ୍ଷ ଟଙ୍କା ଭର୍ତ୍ତି ବ୍ୟାଗ ନେଇ ଫେରାର ହୋଇଗଲେ ଦୁର୍ବୃତ୍ତ। ଗଜପତି ଜିଲା  ପାରଳାଖେମୁଣ୍ଡିରେ ଘଟିଥିବା ଏହି ଘଟଣା ସମସ୍ତଙ୍କୁ ଚକିତ କରିଛି। ସିସିଟିଭି ଫୁଟେଜକୁ ଆଧାର କରି ପୋଲିସ ଜଣେ ସନ୍ଦିଗ୍ଧଙ୍କୁ କାବୁ କରିଥିବା ବେଳେ ଅନ୍ୟ ଅଭିଯୁକ୍ତଙ୍କ ସନ୍ଧାନ ଜାରି ରହିଛି।
ଘଟଣାଟି ଘଟିଛି ପାରଳାଖେମୁଣ୍ଡି ସହରର ଷ୍ଟେଟ୍ ବ୍ୟାଙ୍କ ମୁଖ୍ୟ ଶାଖା ସମ୍ମୁଖରେ। ସାଇଲଢା ଗ୍ରାମର ଏମ୍. ସୂରିୟା ରାଓ ଘର ନିର୍ମାଣ କାମ ପାଇଁ ବ୍ୟାଙ୍କରୁ ୫ ଲକ୍ଷ ଟଙ୍କା ଉଠାଇ ବାହାରୁଥିଲେ। ତେବେ ତାଙ୍କ ପ୍ରତ୍ୟେକ ଗତିବିଧି ଉପରେ ପୂର୍ବରୁ ନଜର ରଖିଥିଲେ ଲୁଟେରା।
ରାସ୍ତାରେ କିଛି ଖୁଚୁରା ଟଙ୍କା ପକାଇ ସୂରିୟା ରାଓଙ୍କ ଧ୍ୟାନ ଭୁଲାଇଦେଇଥିଲେ। ସେ ଖୁଚୁରା ଟଙ୍କା ଉଠାଇବାରେ ବ୍ୟସ୍ତ ଥିବା ବେଳେ, ଗାଡ଼ିରେ ରଖାଯାଇଥିବା ୫ ଲକ୍ଷ ଟଙ୍କା ଭର୍ତ୍ତି ବ୍ୟାଗକୁ ଝାମ୍ପି ନେଇ ଚମ୍ପଟ ମାରିଥିଲେ ଦୁର୍ବୃତ୍ତ। ସବୁକିଛି ଏତେ ଦ୍ରୁତ ଘଟିଥିଲା ଯେ, ସୂରିୟା ରାଓ କିଛି ବୁଝିବା ପୂର୍ବରୁ ଟଙ୍କା ଗାଏବ ହୋଇଯାଇଥିଲା।
ଘଟଣା ପରେ ପାରଳାଖେମୁଣ୍ଡି ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ ମାମଲା ରୁଜୁ କରି ବ୍ୟାଙ୍କ ଏବଂ ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା। ପ୍ରାଥମିକ ତଦନ୍ତରୁ ୪ ଜଣିଆ ଏକ ଗ୍ୟାଙ୍ଗ ଏହି ଲୁଟ୍‌କାଣ୍ଡରେ ସାମିଲ ଥିବା ଜଣାପଡ଼ିଛି। ପୋଲିସ ଜଣେ ସନ୍ଦିଗ୍ଧଙ୍କୁ କାବୁ କରିଥିବା ବେଳେ ଅନ୍ୟମାନଙ୍କୁ ଧରିବାକୁ ଚଢ଼ାଉ ଜାରି ରଖିଛି।
ପୋଲିସର ପ୍ରାଥମିକ ତଦନ୍ତରୁ ଏହା ମଧ୍ୟ ସାମ୍ନାକୁ ଆସିଛି ଯେ, ପାରଳାଖେମୁଣ୍ଡି ଏବଂ ଆଖପାଖ ଅଞ୍ଚଳରେ ପୂର୍ବରୁ ଘଟିଥିବା ଏକାଧିକ ଲୁଟ୍‌କାଣ୍ଡରେ ମଧ୍ୟ ଏହି ଗ୍ୟାଙ୍ଗର ସମ୍ପୃକ୍ତି ଥାଇପାରେ। ତେବେ ଫେରାର ଅଭିଯୁକ୍ତଙ୍କୁ ଧରିବା ଏବେ ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି।

Dharitri – Odisha’s No.1 Odia Daily