ବ୍ୟାଙ୍କ ଲକରରୁ ୩୩ ଲକ୍ଷ ଟଙ୍କାର ଅଳଙ୍କାର ଗାଏବ

ବରଗଡ଼ ଅଫିସ୍‌,୧୭।୨: ବରଗଡ଼ ସହରର ଏକ ବ୍ୟାଙ୍କ ଲକର୍‌ରୁ ଗ୍ରାହକଙ୍କ ୩୩ଲକ୍ଷ ୩୭ହଜାର ଟଙ୍କାର ସୂନା, ରୁପା ଅଳଙ୍କାର ଗାଏବ ହୋଇଯାଇଛି। ଏ ନେଇ ଗ୍ରାହକଙ୍କ ପକ୍ଷରୁ ବୁଧବାର ବରଗଡ଼ ଟାଉନ ଥାନାରେ ଅଭିଯୋଗ କରିଛନ୍ତି । ଉକ୍ତ ଅଭିଯୋଗକୁ ଭତ୍ତି କରି ପୋଲିସ ଛାନ୍‌ଭିନ୍‌ ଆରମ୍ଭ କରିଛି ।
ସୂଚନା ଅନୁଯାୟୀ, ସ୍ନିଗ୍ଧା ତ୍ରିପାଠୀ ଏବଂ ତାଙ୍କ ମା’ ଜ୍ୟୋତ୍ସ୍ନାମୟୀଙ୍କ ନାମରେ ଉକ୍ତ ବ୍ୟାଙ୍କରେ ଲକର୍‌ (ନଂ.୨୮୨) ରହିଛି। ଏହାକୁ ସେମାନେ ଯୁଗ୍ମ ଭାବେ ଅପରେଟ୍‌ କରିଥିଲେ। ବୁଧବାର ବିଭାଗୀୟ ଡେପୁଟି ମ୍ୟାନେଜର ଅପରାହ୍ନ ପ୍ରାୟ ୨ଟା ସମୟରେ ସେମାନଙ୍କୁ ସମ୍ପୃକ୍ତ ଲକର ଅପରେଟ୍‌ କରିବାକୁ ଦେଇଥିଲେ। ଲକର ଖୋଲିବା ପରେ ସେଥିରେ ପୂର୍ବରୁ ରହିଥିବା ସମସ୍ତ ଅଳଙ୍କାର ଗାଏବ ହୋଇ ଯାଇଥିବା ଦେଖି ସ୍ନିଗ୍ଧା ଶାଖାର ମୁଖ୍ୟ ପରିଚାଳକଙ୍କୁ ଜଣାଇଥିଲେ। ଏହା ପୂର୍ବରୁ ଗତ ୨୦୧୬ ଜୁନ ମାସରେ ଶେଷଥର ସେ ଲକର ଖୋଲିଥିଲେ । ଏହା ପରଠାରୁ ସେ କିମ୍ବା ତାଙ୍କ ମା’ ଆଉ ଲକର୍‌ ଖୋଲି ନ ଥିବା ସ୍ନିଗ୍ଧା ପ୍ରକାଶ କରିଛନ୍ତି । ବ୍ୟାଙ୍କ ମଧ୍ୟରେ ରହିଥିବା ଲକର୍‌ରୁ ଏତେ ପରିମାଣର ଅଳଙ୍କାର ଗାଏବ ହେବା ଘଟଣା ସମସ୍ତଙ୍କୁ ଚକିତ କରିଥିବାବେଳେ ବ୍ୟାଙ୍କର ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।