୨ କୋଟି ଟଙ୍କାର ଅତ୍ୟାଧୁନିକ ଭ୍ରାମ୍ୟମାଣ ମେଡିକାଲ, ଏଥିରେ ରହିଛି ଏସବୁ ସୁବିଧା

ଚିତ୍ରକୋଣ୍ଡା,୨୯ା୧୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ମାତ୍ର ଅଞ୍ଚଳ ବଡ଼ପଡ଼ାଠାରେ ଆମେରିକାନ ଇଣ୍ଡିଆନ ଫାଉଣ୍ଡେଶନ ପକ୍ଷରୁ ଚେନ୍ନାଇ ଆଇଆଇଟି ଦ୍ୱାରା ମାଷ୍ଟର କାର୍ଡ ସଂସ୍ଥା ସହାୟତାରେ ଏକ ପୋଟେବୁଲ ହେଲ୍‌ଥ କେୟାର ୟୁନିଟ୍‌ ନିର୍ମାଣ କରାଯାଇଛି ଯାହାକି ମାତ୍ର ଦୁଇ ସପ୍ତାହ ମଧ୍ୟରେ ତିଆରି ହୋଇଛି। ୨ କୋଟି ଟଙ୍କାର ଅତ୍ୟାଧୁନିକ ଆକର୍ଷଣୀୟ ଭ୍ରାମ୍ୟମାଣ ମେଡିକାଲ। ଯେଉଁଥିରେ ୫୦ ଶଯ୍ୟା ବିଶିଷ୍ଟ ବେଡ୍‌ ରହିଛି, ଚାରି ଶଯ୍ୟା ବିଶିଷ୍ଟ ଆଇସିୟୁ ରହିଛି,ପ୍ରତି ଓ୍ବାର୍ଡରେ ଶୀତତାପ ନିୟନ୍ତ୍ରଣ ପାଇଁ ବ୍ୟବସ୍ଥା କରାଯାଇଛି। ଅକ୍ସିଜେନ ବ୍ୟବସ୍ଥା ସହ ଭେଣ୍ଟିଲେଟର ରହିଛି, ଡାକ୍ତର ଓ ସିଷ୍ଟର ରହିବା ପାଇଁ ରୁମ୍‌ ରହିଛି, ରୋଗୀ ଏବଂ କର୍ମଚାରୀମାନଙ୍କ ପାଇଁ ଶୌଚାଳୟ ବ୍ୟବସ୍ଥା କରାଯାଇଛି l କେବଳ ମୁଖ୍ୟମନ୍ତ୍ରୀଙ୍କ ଉଦ୍‌ଘାଟନ ଅପେକ୍ଷାରେ ରହିଛି ଉକ୍ତ ମେଡିକାଲ। ଉକ୍ତ ମେଡିକାଲକୁ କେବଳ ଆମେରିକାନ ଇଣ୍ଡିଆନ ଫାଉଣ୍ଡେଶନ ପକ୍ଷରୁ ଇନ୍‌ଫ୍ରାଷ୍ଟକ୍‌ଚର ସୁବିଧା ଯୋଗାଇ ଦିଆଯାଇଛି ମାତ୍ର ସମସ୍ତ ପାରାମେଡିକାଲ ଷ୍ଟାଫ୍‌ ରାଜ୍ୟ ସରକାର ଓ ଜିଲା ପ୍ରଶାସନ ଯୋଗାଇଦେବେ।