ନୂଆଦିଲ୍ଲୀ,୧୦ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ କମିଟି ବୁଧବାର ଦେଶର ୮ଟି ପ୍ରମୁଖ ରେଳ ମଲ୍ଟିଟ୍ରାକିଂ ପ୍ରକଳ୍ପ ପାଇଁ ୨୦,୮୦୪ କୋଟି ଟଙ୍କା ଅନୁମୋଦନ କରିଛି। ଏହାମଧ୍ୟରୁ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଛତିଶଗଡ଼ ଏବଂ ମଧ୍ୟପ୍ରଦେଶ ଆଦି ରାଜ୍ୟରେ ରେଳ ମଲ୍ଟିଟ୍ରାକିଂ ପ୍ରକଳ୍ପ ଲାଗି ୧୦,୭୮୩ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଖଡ଼ଗପୁର-ଝାରସୁଗୁଡ଼ା (ବାଗଡ଼େହି) ଚତୁର୍ଥ ରେଳଲାଇନ ସମେତ ଅନ୍ୟ ୩ଟି ମଲ୍ଟି-ଟ୍ରାକିଂ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇ ଏଗୁଡିକୁ ୨୦୨୯-୩୦ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଖଡ଼ଗପୁର-ଝାରସୁଗୁଡ଼ା (ବାଗଡ଼େହି) ଚତୁର୍ଥ ରେଳଲାଇନ କାର୍ଯ୍ୟକ୍ଷମ ହେଲେ ମାଲ ପରିବହନ ଦକ୍ଷତା ବଢ଼ିବା ସହିତ ବିଭିନ୍ନ ଶିଳ୍ପ ପାଇଁ ଲଜିଷ୍ଟିକ୍ସ ଖର୍ଚ୍ଚ କମିବା ସୁଯୋଗ ସୃଷ୍ଟି ହେବ। କଟନୀ-ପେଣ୍ଡ୍ରା ରୋଡ୍ ଚତୁର୍ଥ ଲାଇନ୍ ସମେତ ବିଳାସପୁର (ଉସଲାପୁର)-ପେଣ୍ଡ୍ରା ରୋଡ୍ ତୃତୀୟ ରେଳଲାଇନ ମଧ୍ୟ ମଞ୍ଜୁର ହୋଇଛି। ଏହି ପ୍ରକଳ୍ପଗୁଡ଼ିକ ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଛତିଶଗଡ଼ ଏବଂ ମଧ୍ୟପ୍ରଦେଶର ୧୪ ଜିଲା ଦେଇ ଯିବ। ଏହାଦ୍ୱାରା ଭାରତୀୟ ରେଳ ନେଟ୍ୱର୍କରେ ଆଉ ପ୍ରାୟ ୬୫୬ କି.ମି. ଲାଇନ ଯୋଡି ହେବ। ଏହାଛଡ଼ା ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ପ୍ରାୟ ୪,୭୯୦ଟି ଗାଁକୁ ରେଳ ଯୋଗାଯୋଗ କ୍ଷେତ୍ରରେ ଅଧିକ ସୁବିଧା ମିଳିବ ବୋଲି କୁହାଯାଇଛି। ରେଳ କ୍ଷମତା ବଢ଼ିବା ଦ୍ୱାରା ତାରାତାରିଣୀ ମନ୍ଦିର, ଝାରସୁଗୁଡ଼ା ନିକଟସ୍ଥ ପ୍ରାଚୀନ ଜଗନ୍ନାଥ ମନ୍ଦିର ସମେତ ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ଯୋଗାଯୋଗ ଉନ୍ନତ ହେବ।