ଭୁବନେଶ୍ୱର,୨୬ା୧୧ (ରବିନାରାୟଣ ଜେନା): ଭାରତୀୟ ଖାଦ୍ୟ ନିଗମ(ଏଫ୍ସିଆଇ) ରାଜ୍ୟରୁ ଯେଉଁ ଚାଉଳ ଉଠାଉଛି ତାହାର ପ୍ରାପ୍ୟ ଠିକଣା ସମୟରେ ମିଳୁନାହିଁ। ସବ୍ସିଡି ବାବଦକୁ ଅଦ୍ୟାବଧି କେନ୍ଦ୍ର ଉପରେ ୧୦ ହଜାର ୭୫୦ କୋଟି ଟଙ୍କା ବକେୟା ରହିଛି। ଏହିଭଳି ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ବୁଧବାର ବିଧାନସଭାରୁ ଜଣାପଡ଼ିଛି। ବିଧାୟକ ମନୋହର ରନ୍ଧାରୀଙ୍କ ପ୍ରଶ୍ନର ଉତ୍ତରରେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ଖରିଫ ବିପଣନ ଋତୁ ୨୦୨୫-୨୬ ବର୍ଷ ପାଇଁ ଏଫ୍ସିଆଇ ଓଡ଼ିଶାରୁ ୨୨ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ଉଠାଣ କରିବାକୁ ଲକ୍ଷ୍ୟଧାର୍ଯ୍ୟ ଦେଇଥିଲା। ମାତ୍ର ଚଳିତମାସ ୧୯ ତାରିଖ ସୁଦ୍ଧା ଏଫ୍ସିଆଇ ୧୨.୨୪ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ଉଠାଣ କରିଛି। ଅଦ୍ୟାବଧି କେନ୍ଦ୍ର ସରକାରଙ୍କଠାରୁ ରାଜ୍ୟ ସବ୍ସିଡି ବାବଦକୁ ୧୦ ହଜାର ୭୫୦ କୋଟି ଟଙ୍କା ପାଇବାକୁ ରହିଛି ବୋଲି ମନ୍ତ୍ରୀ କହିଛନ୍ତି।
ମନ୍ତ୍ରୀ ଗୃହକୁ ଦେଇଥିବା ତଥ୍ୟ ଅନୁଯାୟୀ, ରାଜ୍ୟରେ ଚାଲୁ ରହିଥିବା ବିଭିନ୍ନ କଲ୍ୟାଣକାରୀ ଯୋଜନାରେ ଆବଶ୍ୟକ ହେଉଥିବା ଅରୁଆ ଚାଉଳର ବଣ୍ଟନ ପରେ ସମସ୍ତ ଚାଉଳ ଏଫ୍ସିଆଇ ଉଠାଇବାକୁ କର୍ତ୍ତୃପକ୍ଷ ସହମ୍ମତି ପ୍ରକାଶ କରିଛନ୍ତି। ମାତ୍ର ଏଫ୍ସିଆଇ ଯେଉଁ ଚାଉଳ ରାଜ୍ୟରୁ ଉଠାଇବ ତାହାର ସବ୍ସିଡି ସେ ପର୍ଯ୍ୟାୟକ୍ରମେ ଦେବ।
ବିଧାୟକ ଅଶ୍ୱିନୀ କୁମାର ପାତ୍ରଙ୍କ ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି, ୨୦୨୫-୨୬ ଖରିଫ ଓ ରବି ଋତୁରେ ରାଜ୍ୟ ସରକାର ଯୋଗ୍ୟବିବେଚିତ ଚାଷୀଙ୍କଠାରୁ ୯୭.୯୪ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ କରିଥିଲେ। ସଂଗୃହୀତ ଧାନରୁ ୬୬.୩୮ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ଉତ୍ପାଦନ ହେବ। ଚଳିତମାସ ୧୮ ସୁଦ୍ଧା ମିଲର୍ସମାନଙ୍କଠାରୁ ୩୭.୫୦ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ଉଠିଛି। ସେଥିମଧ୍ୟରୁ ରାଜ୍ୟ ଯୋଗାଣ ନିଗମ ୨୫ ଲକ୍ଷ ୩୮ ହଜାର ମେଟ୍ରିକ୍ ଟନ୍ ଚାଉଳ ଗ୍ରହଣ କରିଥିବାବେଳେ ଏଫ୍ସିଆଇ ୧୨.୧୨ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ଉଠାଣ କରିଛି। ବଳକା ଚାଉଳ ଆଦାୟ ପାଇଁ ପ୍ରକ୍ରିୟା ଚାଲୁରହିଛି ବୋଲି ମନ୍ତ୍ରୀ କହିଛନ୍ତି।