ସରକାରୀ ଆକାଉଣ୍ଟକୁ ଆସୁନି ରୟାଲିଟି, ପ୍ରଶାସନ ନୀରବଦ୍ରଷ୍ଟା

କଟକ ସଦର,୧୫ା୧୧(ସୁଶାନ୍ତ କୁମାର ଜେନା): କଟକ ଜିଲାର ଏକ ନମ୍ବର ବ୍ଲକ ଭାବେ ପରିଚିତ ସଦର ବ୍ଲକ। ଏହି କଟକ ସଦର ବ୍ଲକଟି ସହର ତଳି ଅଞ୍ଚଳ ହୋଇଥିବାରୁ ୨୩ଟି ପଞ୍ଚାୟତର ବିଭିନ୍ନ ସ୍ଥାନରେ ମାର୍କେଟ କମ୍ପ୍ଲେକ୍ସ, କଲ୍ୟାଣ ମଣ୍ଡପ, ପେଟ୍ରୋଲ ଟାଙ୍କି, ମୋବାଇଲ ଟାଓ୍ବାର, ମଦ ଦୋକାନ, ନର୍ସିଂହୋମ୍‌,ବହୁତଳ ପ୍ରାସାଦ ନିର୍ମାଣ ଛତୁ ଫୁଟିଲା ଭଳି ମୁଣ୍ଡ ଟେକିବାରେ ଲାଗିଛି। ଏହି ସବୁ ନିର୍ମାଣ ପାଇଁ ସ୍ଥାନୀୟ ପଞ୍ଚାୟତ ଅନୁମତି ଦେଉଥିବା ବେଳେ ଏହି ସବୁ ନିର୍ମାଣ ବାବଦକୁ ଟଙ୍କାଟିଏ ରୟାଲିଟି ସରକାରୀ ଆକାଉଣ୍ଟକୁ ଆସୁ ନ ଥିବାର ଅଭିଯୋଗ ହୋଇଛି। ଏହି ଅର୍ଥ କାହା ପକେଟକୁ ଯାଉଛି ତା’ର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସାଧାରଣରେ ଦାବି ହେଉଛି।

ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ନିର୍ଦ୍ଦେଶ କ୍ରମେ ପଞ୍ଚାୟତ ସ୍ତରରେ ନିର୍ମାଣାଧୀନ କୋଠା, ମଦ ଦୋକାନ ଲାଇସେନ୍ସ ନବୀକରଣ ପ୍ରଭୃତି କାର୍ଯ୍ୟ ପାଇଁ ସରପଞ୍ଚମାନେ ଅନୁମତି ପ୍ରଦାନ କରିବେ। ଏହି ନିର୍ମାଣ ପାଇଁ ପ୍ରଥମେ ଆବେଦନକାରୀ ପ୍ଲାନ, ବ୍ୟୟ ଆକଳନର ଅବିକଳ ନକଲ ପଞ୍ଚାୟତ କାର୍ଯ୍ୟାଳୟରେ ଦାଖଲ କରିବେ। ଏହି ବିଷୟରେ ପଞ୍ଚାୟତ ବୈଠକରେ ଆଲୋଚନା କରାଯାଇ ବ୍ଲକକୁ ପଠାଯିବ। ଏ ବିଷୟରେ ବିଡିଓ ତର୍ଜମା କରି ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ସ୍ବାକ୍ଷର ଥାଇ ପ୍ରସ୍ତାବଟି ଟାଉନ ପ୍ଲାନିଂ ଅଧିକାରୀଙ୍କ କାର୍ଯ୍ୟାଳୟକୁ ପଠାଯିବ। ସେଠାରୁ ଅନୁମୋଦନ ମିଳିବା ପରେ ଧାର୍ଯ୍ୟ ମୁତାବକ ରୟାଲିଟି ଆଦାୟ କରାଯିବ। ବ୍ୟବସାୟିକ କୋଠା ହୋଇଥିଲେ ପ୍ରତିବର୍ଷ ରୟାଲିଟି ଧାର୍ଯ୍ୟ ପାଇଁ ଉପଜିଲାପାଳଙ୍କ କାର୍ଯ୍ୟାଳୟକୁ ୭ ନଂ ଫର୍ମରେ ପଠାଯିବ। ତା’ ପରେ ବାର୍ଷିକ ରୟାଲଟି ଆଦାୟ କରାଯିବ। ମାତ୍ର ଅଧିକାଂଶ ପଞ୍ଚାୟତରେ ଏହି ନିୟମ ପାଳନ କରା ନ ଯାଇ ଅର୍ଥ ବ୍ୟକ୍ତିଗତ ପକେଟକୁ ଯାଉଥିବା କୁହାଯାଉଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବା ପାଇଁ ଦାବି ହେଉଥିବା ବେଳେ ଏହାକୁ ରାଜନୈତିକ ରଙ୍ଗ ଦେଇ ଚପିଦେବାକୁ ଉଦ୍ୟମ ହେଉଥିବା କୁହାଯାଉଛି। ପଞ୍ଚାୟତ ସ୍ତରରୁ ଏଭଳି ପ୍ରସ୍ତାବ ନ ଆସିଲେ ଆମେ ସବୁକଥା ଜାଣିବା ସମ୍ଭବପର ନୁହେଁ ବୋଲି ବିଡିଓ ପ୍ରତୀକ ସାହୁ କହିଛନ୍ତି।

୪୨ ମୌଜାର ୬ ଟି ପଞ୍ଚାୟତ, କନ୍ଦରପୁର,କିଶୋରନଗର, ଧରିଣା, ଅରିଲୋ, ସୋମପୁର, ଅରିଲୋ, କିଶୋରନଗର ଆଦି ପଞ୍ଚାୟତରେ ବ୍ୟବସାୟିକ ନିର୍ମାଣ ଚାଲିଥିବାବେଳେ ପ୍ରଶାସନ ନୀରବଦ୍ରଷ୍ଟା ସାଜିବାକୁ ଲୋକେ ସହଜରେ ଗ୍ରହଣ କରିପାରୁନାହାନ୍ତି।

Dharitri – Odisha’s No.1 Odia Daily

Share