ଭୁବନେଶ୍ୱର,୨୧ା୪(ରବିନାରାୟଣ ଜେନା): ରାଜ୍ୟରେ ଲଘୁ ଖଣିିଜ ଦ୍ରବ୍ୟରୁ ସରକାରଙ୍କୁ ଯେଉଁ ଅର୍ଥ ମିଳିବା କଥା ତାହା ବାଟବଣା ହୋଇଛି। ନିୟମ ଅନୁଯାୟୀ, ଏହି ଉତ୍ସରୁ ସଂଗ୍ରହ ସମସ୍ତ ରୟାଲ୍ଟି ସରକାରଙ୍କ ନିର୍ଦ୍ଦିଷ୍ଟ ବ୍ୟାଙ୍କ ଖାତା ତଥା ରାଜକୋଷରେ ଡିପୋଜିଟ୍ ହେବା ଆବଶ୍ୟକ, ମାତ୍ର ରାଜ୍ୟରେ ୨୦୨୩ରୁ ୨୦୨୫ ଡିସେମ୍ବର ମଧ୍ୟରେ ଆଦାୟ ହୋଇଥିବା ଅର୍ଥ ତହସିଲଦାରମାନଙ୍କ ବ୍ୟାଙ୍କ ଖାତାରେ ଜମାହୋଇଛି। ଏହି ଅବଧି ମଧ୍ୟରେ ୩୧୫ ତହସିଲଦାରଙ୍କ ବ୍ୟାଙ୍କ ଖାତାରେ ୨୫୬.୮୧କୋଟି ଟଙ୍କାର ରୟାଲ୍ଟି ବନ୍ଧାହୋଇଛି। ଏହା ସମ୍ପୂର୍ଣ୍ଣ ଭାବେ ବେଆଇନ ହୋଇଥିବାରୁ ତୁରନ୍ତ ଏହା ଉପରେ ପଦକ୍ଷେପ ନେବା ଲାଗି ପ୍ରମୁଖ ମହାଲେଖାକାର(ପିଏଜି) ଡି. ସାହୁ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ପତ୍ର ଲେଖି ଅବଗତ କରାଇଛନ୍ତି। ଏନେଇ ମୁଖ୍ୟ ସଚିବଙ୍କ କାର୍ଯ୍ୟାଳୟ ପକ୍ଷରୁ ଅର୍ଥ ବିଭାଗଠାରୁ ରିପୋର୍ଟ ଲୋଡ଼ାଯିବା ପରେ ଅର୍ଥ ବିଭାଗ ପକ୍ଷରୁ ପଞ୍ଚାୟତିରାଜ ଏବଂ ନଗର ଉନ୍ନୟନ ବିଭାଗକୁ ପତ୍ର ଲେଖାଯାଇ ପୂର୍ଣ୍ଣାଙ୍ଗ ବିବରଣୀ ଲୋଡ଼ାଯାଇଥିବା ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।
ପ୍ରମୁଖ ମହାଲେଖାକାର ମୁଖ୍ୟ ସଚିବଙ୍କୁ ପ୍ରଦାନ କରିଥିବା ତଥ୍ୟରେ ଦର୍ଶାଇଛନ୍ତି, ୨୦୨୩ରୁ ୨୦୨୫ ମଧ୍ୟରେ ସମସ୍ତ ପଞ୍ଚାୟତ ଏବଂ ପୌରାଞ୍ଚଳରେ ଲଘୁ ଖଣିଜ ଦ୍ରବ୍ୟ ନେଇ ସମୀକ୍ଷା କରାଯାଇଥିଲା। ଏହି ସମୟରେ ଜଣାଯାଇଛି, ୩୧୭ ତହସିଲଦାରଙ୍କ ମଧ୍ୟରୁ ୩୧୫ ତହସିଲଦାରଙ୍କ ବ୍ୟାଙ୍କ ଖାତାରେ ରୟାଲ୍ଟି ଟଙ୍କା ଜମାହୋଇଛି। ପଞ୍ଚାୟତିରାଜ ଅନୁଷ୍ଠାନ ଏବଂ ପୌରାଞ୍ଚଳରେ ଏହି କାର୍ଯ୍ୟ ବେଆଇନ। ଏହାକୁ ନେଇ ତୁରନ୍ତ ଅର୍ଥ ବିଭାଗକୁ ଏହାର ତଦନ୍ତ କରିବା ଲାଗି ନିର୍ଦ୍ଦେଶ ଦିଆଯାଉ। ଏହାସହ ଯେଉଁଠାରେ ଆର୍ଥିକ ଅନିୟମିତତା ହୋଇଥିବ ସେଠାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପିଏଜି ପତ୍ରରେ ଉଲ୍ଲେଖ କରିଛନ୍ତି। ପିଏଜି ତାଙ୍କ ସୁପାରିସରେ କହିଛନ୍ତି, ପଞ୍ଚାୟତିରାଜ ଏବଂ ପୌରାଞ୍ଚଳ ଅଧିକାରଙ୍କୁ ଏଭଳି ବେଆଇନ କାର୍ଯ୍ୟ ଆଗକୁ ନ କରିବା ଲାଗି କୁହାଯିବା ସହ ରାଜକୋଷରେ ରୟାଲ୍ଟି ଟଙ୍କା ବାନ୍ଧିବାକୁ କୁହାଯିବା ଆବଶ୍ୟକ।
ସୂଚନାଯୋଗ୍ୟ, ରାଜ୍ୟରେ ଅଣଟିକସ ରାଜସ୍ବ ବୃଦ୍ଧି ହାର ୨୦୨୫-୨୬ ଆଥିକବର୍ଷରେ ୧୬.୩୭% ରହିଥିବାବେଳେ ଖଣିଜ ରାଜସ୍ବ ହାର ୯.୬୮ ପ୍ରତିଶତ ରହିଛି। ରାଜ୍ୟ ସରକାର ୨୦୨୪-୨୫ରେ ଖଣିଜ ଉତ୍ସରୁ ୪୮ହଜାର ୬୦୦କୋଟି ଟଙ୍କାର ରାଜସ୍ବ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଥିବାବେଳେ ୪୧ହଜାର ୫୧.୮୨କୋଟି ଟଙ୍କା ପାଇଥିଲେ। ସେହିପରି ୨୦୨୫-୨୬ରେ ୪୭ହଜାର ୪୬୭କୋଟି ଟଙ୍କାର ରାଜସ୍ବ ପାଇବାକୁ ଲକ୍ଷ୍ୟ ରଖିଥିବାବେଳେ ମାତ୍ର ୪୫ହଜାର ୨୬କୋଟି ଟଙ୍କା ପାଇଥିଲେ।