ଅତାବିରା, ୨୪।୧୧ (ଯୁଧିଷ୍ଠିର ମହାପାତ୍ର): ଡେବ୍ରିଗଡ଼ ଅଭୟାରଣ୍ୟରେ ଥିବା ମହାବଳ ବାଘ ମଙ୍ଗଳବାର ଭୋରରୁ ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଜାଙ୍ଗେଡ଼ ଗ୍ରାମ ଅଞ୍ଚଳକୁ ପଶିଆସିଥିବା ସୂଚନା ମିଳିଛି। ଗ୍ରାମ ନିକଟରେ ବାଘର ପାଦଚିହ୍ନ ଠାବ ହେବା ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳିଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ବନ ବିଭାଗ ଏବଂ ପୁଲିସ ପ୍ରଶାସନ ପକ୍ଷରୁ ଗ୍ରାମବାସୀଙ୍କ ପାଇଁ ସତର୍କ ସୂଚନା ଜାରି କରାଯାଇଛି।
ଜାଙ୍ଗେଡ଼ ସରପଞ୍ଚ ଭଗବତିଆ ସିଂହଙ୍କ ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳେ ଗ୍ରାମର କିଛି ଲୋକ ଗାଁ ନିକଟରେ ଏକ ଅଜବ ବଡ଼ ପାଦଚିହ୍ନ ଦେଖିବାକୁ ପାଇଥିଲେ। ଏନେଇ ତୁରନ୍ତ ବନ ବିଭାଗକୁ ଖବର ଦିଆଯାଇଥିଲା। ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ପାଦଚିହ୍ନ ଯାଞ୍ଚ କରିବା ପରେ ଏହା ଡେବ୍ରିଗଡ଼ ଅଭୟାରଣ୍ୟକୁ ଆସିଥିବା ମହାବଳ ବାଘର ପାଦଚିହ୍ନ ବୋଲି ଚିହ୍ନଟ କରିଥିଲେ।
ବାଘର ଗତିବିଧି ଅନୁଧ୍ୟାନ କରିବାରୁ ଏହା ଜାଙ୍ଗେଡ଼ ଓ ସୋଢ଼ାପାଲିକୁ ସଂଯୋଗ କରୁଥିବା ରାସ୍ତାର ନଦୀ ପଟକୁ ଯାଇଥିବା ଜଣାପଡ଼ିଛି। ତେବେ ନଦୀ ଆରପଟରେ କୌଣସି ପାଦଚିହ୍ନ ଦେଖିବାକୁ ମିଳିନଥିବାରୁ ବାଘଟି ସେହି ନଦୀକୂଳ ବୁଦାଳିଆ ଅଞ୍ଚଳରେ ଲୁଚି ରହିଥିବା ଅନୁମାନ କରାଯାଉଛି। ଘନ କୁହୁଡ଼ି ଯୋଗୁ ବାଘଟି ବାଟ ଭୁଲି ଜନବସତି ଆଡ଼କୁ ଚାଲିଆସିଥିବା ବନ ବିଭାଗ ପକ୍ଷରୁ ସନ୍ଦେହ କରାଯାଉଛି।
ଖବର ଲେଖାଯିବା ପର୍ଯ୍ୟନ୍ତ (ରାତି ପ୍ରାୟ ୯ଟା ୨୦) ବନ ବିଭାଗର ଏକ ଟିମ୍ ଜାଙ୍ଗେଡ଼ ଗ୍ରାମରେ ଡେରା ପକାଇ ବାଘର ଗତିବିଧି ଉପରେ ନଜର ରଖିଛନ୍ତି। ଗ୍ରାମ ପଞ୍ଚାୟତ ଏବଂ ବନ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ଯୋଗେ ଲୋକଙ୍କୁ ସଚେତନ କରାଯାଉଛି। ଭୋର ସକାଳ ଏବଂ ସନ୍ଧ୍ୟା ସମୟରେ ଜରୁରୀ କାମ ନଥିଲେ ଘରୁ ବାହାରକୁ ନବାହାରିବା ଏବଂ ଗୃହପାଳିତ ପଶୁଙ୍କୁ ସୁରକ୍ଷିତ ରଖିବା ପାଇଁ ପରାମର୍ଶ ଦିଆଯାଇଛି। ଅନ୍ୟପକ୍ଷରେ ଅତାବିରା ଥାନା ଆଇଆଇସି ପ୍ରକାଶ କର୍ଣ୍ଣ ମଧ୍ୟ ପୁଲିସ ଟିମ୍ ସହ ଅଞ୍ଚଳରେ ପାଟ୍ରୋଲିଂ ଜାରି ରଖିଥିବା ସହ ଲୋକଙ୍କୁ ରାତିରେ ବାହାରକୁ ନବାହାରିବାକୁ ଅନୁରୋଧ କରିଛନ୍ତି।