Categories: ଖେଳ

ରାଉରକେଲା, ଭଦ୍ରକ ବିଜୟୀ

ଭୁବନେଶ୍ୱର, ୫।୭(ତପନ ସ୍ବାଇଁ): ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ ଚାଲିଥିବା ଆନ୍ତଃଜିଲା ମହିଳା କ୍ରିକେଟ ଟୁର୍ନାମେଣ୍ଟ (ଫେଜ୍‌-୨)ର ମଙ୍ଗଳବାର ଅନୁଷ୍ଠିତ ମ୍ୟାଚରେ ରାଉରକେଲା ଓ ଭଦ୍ରକ ଦଳ ବିଜୟ ହାସଲ କରିଛି। କଟକର ରେଭେନ୍ସା ଗ୍ରାଉଣ୍ଡ-୨ରେ ଅନୁଷ୍ଠିତ ମ୍ୟାଚରେ ରାଉରକେଲା ୭ ଉଇକେଟରେ ନବରଙ୍ଗପୁରକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ନବରଙ୍ଗପୁର ୧୦ ଓଭରରେ ମାତ୍ର ୨୭ ରନକରି ସମସ୍ତ ଉଇକେଟ ହରାଇଥିବାବେଳେ ରାଉରକେଲା ମାତ୍ର ୪.୧ ଓଭରରେ ୩ ଉଇକେଟ ହରାଇ ବିଜୟଲକ୍ଷ୍ୟ ହାସଲ କରି ନେଇଥିଲା। ଏହି ମ୍ୟାଚରେ ରାଉରକେଲାର ରିମା ଏକ୍କା ସୁନ୍ଦର ବୋଲିଂ କରି ମାତ୍ର ୬ ରନ ଦେଇ ୪ଟି ଉଇକେଟ ନେଇଥିଲେ। ସେହିପରି ରେଭେନ୍ସା ଗ୍ରାଉଣ୍ଡ-୧ରେ ଅନୁଷ୍ଠିତ ମ୍ୟାଚରେ ଭଦ୍ରକ ୫ ଉଇକେଟରେ ଜଗତ୍‌ସିଂହପୁରକୁ ପରାସ୍ତ କରିଛି। ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଜଗତ୍‌ସିଂହପୁର ନିର୍ଦ୍ଧାରିତ ୨୦ ଓଭରରେ ୩ ଉଇକେଟ ହରାଇ ୭୭ ରନ କରିଥିଲା। ଦଳ ପକ୍ଷରୁ ଅନନ୍ୟା ମିଶ୍ର ସର୍ବାଧିକ ୩୧ ରନ କରିଥିଲେ। ୭୮ ରନ ବିଜୟ ଲକ୍ଷ୍ୟରେ ବ୍ୟାଟିଂ କରିଥିବା ଭଦ୍ରକ ୧୯.୧ ଓଭରରେ ୫ ଉଇକେଟ ହରାଇ ୮୧ ରନ ସଂଗ୍ରହ କରି ନେଇଥିଲା।

Share