ନୂଆଦିଲ୍ଲୀ, ୧୮।୧୧: ମହେନ୍ଦ୍ର ସିଂ ଧୋନିଙ୍କ ୧୮ ବର୍ଷର IPL କ୍ୟାରିୟରରେ ଲାଗିଛି ବିରାମ। IPL ୨୦୨୭ ରିଟେନ୍ସନ ପୂର୍ବରୁ ଧୋନୀ ନିଜ ଅବସର ଘୋଷଣା କରି ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ଧୋନୀ IPL ଇତିହାସର ଅନ୍ୟତମ ମହାନ ଓ ସଫଳ ଅଧିନାୟକ ଭାବେ ପରିଚିତ। ତାଙ୍କ ଅବସରକୁ ଇଣ୍ଡିଆନ ପ୍ରିମିୟର ଲିଗ୍ର ଏକ ଯୁଗର ଅନ୍ତ ବୋଲି କୁହାଯାଉଛି। ଧୋନୀଙ୍କ ଅବସରକୁ ନେଇ ଅନେକ ମହାନ କ୍ରିକେଟର ନିଜ ନିଜ ଢଙ୍ଗରେ ପ୍ରତିକ୍ରିୟା ଦେଇଛନ୍ତି। ଏବେ ମୁମ୍ବାଇ ଇଣ୍ଡିଆନ୍ସର ପୂର୍ବତନ ଅଧିନାୟକ ରୋହିତ ଶର୍ମା ମଧ୍ୟ ଧୋନୀଙ୍କ ଅବସର ଉପରେ ନିଜର ମତ ରଖିଛନ୍ତି।
ଏମଏସ ଧୋନୀଙ୍କ ଅବସର ପରେ ରୋହିତ ଶର୍ମା ନିଜ X ଆକାଉଣ୍ଟରେ ଏକ ପୋଷ୍ଟ କରି ପ୍ରତିକ୍ରିୟା ଜଣାଇଛନ୍ତି। ରୋହିତ ଧୋନୀଙ୍କୁ ତାଙ୍କ ଚମତ୍କାର IPL କ୍ୟାରିୟର ପାଇଁ ଅଭିନନ୍ଦନ ଜଣାଇବା ସହ ପୁରୁଣା ସ୍ମୃତିକୁ ମନେ ପକାଇଛନ୍ତି। ରୋହିତ ଓ ଧୋନୀ IPLରେ କେବେ ଗୋଟିଏ ଦଳରେ ଖେଳିନାହାନ୍ତି। ସବୁବେଳେ ଉଭୟ ପରସ୍ପର ବିପକ୍ଷ ଦଳରେ ରହିଥିଲେ। ତେବେ ଅନ୍ତର୍ଜାତୀୟ କ୍ରିକେଟରେ ଉଭୟ ଅନେକ ସ୍ମରଣୀୟ ମୁହୂର୍ତ୍ତ ଏକାଠି ବିତାଇଛନ୍ତି।
ରୋହିତ ନିଜ ପୋଷ୍ଟରେ ଲେଖିଛନ୍ତି, ଧୋନୀ ଭାଇ, ଆପଣଙ୍କ ଏତେ ଚମତ୍କାର IPL କ୍ୟାରିୟର ପାଇଁ ଅଭିନନ୍ଦନ। ଆପଣଙ୍କ ସହ ମଇଦାନରେ ସମୟ ବିତାଇବା ମୋ ପାଇଁ ବହୁତ ଭଲ ଅନୁଭବ ଥିଲା। ଏତେ ବର୍ଷ ମଧ୍ୟରେ ଆପଣଙ୍କ ସହ ମୋର ଅନେକ ସ୍ମୃତି ଯୋଡ଼ି ହୋଇ ରହିଛି। ଆପଣଙ୍କ ପ୍ରତି ମୋର ଅପାର ସମ୍ମାନ ରହିଛି।
ରୋହିତ ଶର୍ମା ଓ ଏମଏସ ଧୋନୀ IPL ଇତିହାସର ଦୁଇଜଣ ସଫଳତମ ଅଧିନାୟକ। ଉଭୟ ଅଧିନାୟକ ଭାବେ ୫-୫ ଥର IPL ଟ୍ରଫି ଜିତିଛନ୍ତି। ଏମଏସ ଧୋନୀଙ୍କ ନେତୃତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସ ୨୦୧୦ରେ ପ୍ରଥମ ଥର ପାଇଁ IPL ଟାଇଟଲ ଜିତିଥିଲା। ଏହାପରେ ୨୦୧୧, ୨୦୧୮, ୨୦୨୧ ଓ ୨୦୨୩ରେ ମଧ୍ୟ ଧୋନୀଙ୍କ ଅଧିନାୟକତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସ ଟ୍ରଫି ହାତେଇଥିଲା। ସେହିପରି ରୋହିତ ଶର୍ମା ୨୦୧୩, ୨୦୧୫, ୨୦୧୭, ୨୦୧୯ ଓ ୨୦୨୦ରେ ମୁମ୍ବାଇ ଇଣ୍ଡିଆନ୍ସକୁ ଚାମ୍ପିୟନ କରାଇଥିଲେ।
ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ IPLର ଦୁଇଟି ସଫଳତମ ଦଳ। ଏହି କାରଣରୁ ଉଭୟ ଦଳ ମଧ୍ୟରେ ଥିବା ପ୍ରତିଦ୍ୱନ୍ଦ୍ୱିତା ସବୁବେଳେ ସ୍ବତନ୍ତ୍ର ରହିଆସିଛି। MI ବନାମ CSK ମ୍ୟାଚକୁ କ୍ରିକେଟ ଜଗତର ‘ଏଲ କ୍ଲାସିକୋ’ ବୋଲି କୁହାଯାଏ। ଏହାର ଏକ ବଡ଼ କାରଣ ହେଉଛନ୍ତି ରୋହିତ ଶର୍ମା ଓ ଏମଏସ ଧୋନୀ। ଉଭୟ ନିଜ ନିଜ ଦଳର ମହାନ ନେତା ଭାବେ ପରିଚିତ ଏବଂ ଫ୍ରାଞ୍ଚାଇଜର ସଫଳତାରେ ସେମାନଙ୍କର ବଡ଼ ଭୂମିକା ରହିଛି।