ରାଇନା, କୋହଲିଙ୍କୁ ପଛରେ ପକାଇବା ଲାଗି ରୋହିତ୍‌ଙ୍କ ନିକଟରେ ସୁଯୋଗ

ଆବୁଧାବି, ୧୧।୧୦: ଆଇପିଏଲ୍‌ ଚଳିତ ସଂସ୍କରଣର ୨୭ତମ ମୁକାବିଲାରେ ରବିବାର ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସର ମୁକାବିଲା ଦିଲ୍ଲୀ କ୍ୟାପିଟାଲ୍ସ ସହ ହେବ। ସ୍ଥାନୀୟ ଶେଖ୍‌ ଜାୟେଦ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମୁକାବିଲାରେ ମୁମ୍ବାଇ ଅଧିନାୟକ ରୋହିତ୍‌ ଶର୍ମାଙ୍କ ନିକଟରେ ଏକ ବଡ଼ କୀର୍ତ୍ତିମାନ କରିବାର ସୁଯୋଗ ରହିଛି। ଦିଲ୍ଲୀ ବିପକ୍ଷ ଏହି ମ୍ୟାଚ୍‌ରେ ଯଦି ରୋହିତ୍‌ ଅର୍ଦ୍ଧଶତକୀୟ ଇନିଂସ ଖେଳନ୍ତି ତେବେ ଆଇପିଏଲ୍‌ ଇତିହାସରେ ସର୍ବାଧିକ ଅର୍ଦ୍ଧଶତକ ହାସଲକାରୀ ଭାରତୀୟ ବ୍ୟାଟ୍ସମ୍ୟାନ ହେବାର ସୌଭାଗ୍ୟ ଲାଭ କରିବେ। ରୋହିତ୍‌ ବର୍ତ୍ତମାନ ସୁଦ୍ଧା ଆଇପିଏଲ୍‌ରେ ୧୯୪ ମ୍ୟାଚ୍‌ ଖେଳି ୩୮ ଅର୍ଦ୍ଧଶତକ ହାସଲ କରି ବିରାଟ କୋହଲି ଓ ସୁରେଶ ରାଇନାଙ୍କ ସମକକ୍ଷ ହୋଇଛନ୍ତି। କୋହଲି ଓ ରାଇନା ମଧ୍ୟ ଆଇପିଏଲ୍‌ରେ ୩୮ଟି ଲେଖାଏ ଅର୍ଦ୍ଧଶତକ ହାସଲ କରିସାରିଛନ୍ତି। ତେବେ ଓଭରଅଲ୍‌ ଆଇପିଏଲ୍‌ ଇତିହାସରେ ସର୍ବାଧିକ ଅର୍ଦ୍ଧଶତକ ହାସଲ କରିବାର ରେକର୍ଡ ସନ୍‌ରାଇଜର୍ସ ହାଇଦ୍ରାବାଦର ଡେଭିଡ୍‌ ଓ୍ବାର୍ନରଙ୍କ ନାମରେ ରହିଛି। ଓ୍ବାର୍ନର ୧୩୨ ଆଇପିଏଲ୍‌ ମ୍ୟାଚ୍‌ରୁ ୪୬ ଅର୍ଦ୍ଧଶତକ ହାସଲ କରି ଏହି ତାଲିକାର ସର୍ବାଗ୍ରେ ରହିଛନ୍ତି।

Share