Categories: ଖେଳ

ୟୋୟୋ ଟେଷ୍ଟ କ୍ଲିଅର କଲେ ରୋହିତ

ନୂଆଦିଲ୍ଲୀ,୨୬।୧: ଭାରତୀୟ ଦିନିକିଆ ଓ ଟି୨୦ ଦଳର ଅଧିନାୟକ ରୋହିତ ଶର୍ମା ବୁଧବାର ୟୋୟୋ ତଥା ଫିଟ୍‌ନେସ ଟେଷ୍ଟ କ୍ଲିଅର କରିଛନ୍ତି। ଫଳରେ ଆଗାମୀ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଘରୋଇ ସୀମିତ ଓଭର ସିରିଜ୍‌ ଲାଗି ସେ ଉପଲବ୍ଧ ହୋଇଛନ୍ତି। ଏହି ସିରିଜ୍‌ ଫେବୃୟାରୀ ୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି।

ରୋହିତ ଜାତୀୟ କ୍ରିକେଟ ଏକାଡେମୀ (ଏନ୍‌ସିଏ)ରେ ଫିଟ୍‌ନେସ ଟେଷ୍ଟ କ୍ଲିଅର କରିଛନ୍ତି। ଏଣୁ ଅଗାମୀ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ସିରିଜ୍‌ରେ ସେ ଭାରତୀୟ ଦଳର ନେତୃତ୍ୱ ନେବେ। ଯଶପ୍ରୀତ ବୁମରାଙ୍କ କାର୍ଯ୍ୟବୋଝକୁ ନିୟନ୍ତ୍ରଣ କରିବା ପାଇଁ ତାଙ୍କୁ ବିଶ୍ରାମ ଦିଆଯିବ। ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରତ୍ୟେକ ଟେଷ୍ଟ ଓ ଦିନିକିଆ ମ୍ୟାଚ୍‌ ଖେଳିଥିଲେ। ଏଥି ଯୋଗୁ ତାଙ୍କୁ ବିଶ୍ରାମର ଆବଶ୍ୟକତା ଥିବା ସୂତ୍ରରୁ କୁହାଯାଇଛି।

ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ୩ ଲେଖାଏ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଏବଂ ଟି୨୦ ସିରିଜ୍‌ ଖେଳାଯିବ। ଦିନିକିଆ ସିରିଜ୍‌ର ପ୍ରତ୍ୟେକ ମ୍ୟାଚ୍‌ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବାକୁ ଥିବା ବେଳେ ସମସ୍ତ ଟି୨୦ ମ୍ୟାଚ୍‌ କୋଲକାତାର ଇଡେନ ଗାର୍ଡେନ୍ସରେ ଖେଳାଯିବାର କାର୍ଯ୍ୟସୂଚୀ ରହିଛି।

Share