Categories: ଖେଳ

ରୋଡ୍ରିଗୁଏଜ୍‌ ମହମ୍ମଡାନ ସ୍ପୋର୍ଟିଂର ମୁଖ୍ୟ କୋଚ୍‌

କୋଲକାତା, ୨୫ା୧୦ (ପି.ଟି.)- ମହମ୍ମଡାନ ସ୍ପୋର୍ଟିଂ କ୍ଲବ ଆସନ୍ତା ଆଇ-ଲିଗ୍‌ ସିଜନ ପାଇଁ ସ୍ପେନର ଜୋସ୍‌ କାର୍ଲୋସ ରୋଡ୍ରଗୁଏଜ୍‌ଙ୍କୁ ସେମାନଙ୍କ ମୁଖ୍ୟ କୋଚ୍‌ ଭାବେ ନିଯୁକ୍ତି ଦେଇଛି। ପୂର୍ବରୁ ଏହି ପଦବୀରେ ରହିଥିବା ୟାନ୍‌ ଲ’ କ୍ୱାଲିଫାୟର୍ସ ଶେଷ ହେବା ପୂର୍ବରୁ ବହିଷ୍କୃତ ହୋଇଥିଲେ। କ୍ଲବର ଟପ୍‌ ଅଫିସିଆଲଙ୍କ ସହ ହୋଇଥିବା ବ୍ୟକ୍ତିଗତ କଥାବାର୍ତ୍ତାକୁ ବାହାରେ ପ୍ରକାଶ ପାଇବାରୁ ଚଳିତ ମାସ ପ୍ରଥମ ଭାଗରେ ଲ’ଙ୍କୁ ବିଦା କରି ଦିଆଯାଇଥିଲା। ତାଙ୍କ ସ୍ଥାନରେ ସୟେଦ ରେମନ କାମଚଳା ଦାୟିତ୍ୱ ଗ୍ରହଣ କରିଥିଲେ। ରେମନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କ୍ଲବ କ୍ୱାଲିଫାୟର୍ସ ଜିତି ଆଇ-ଲିଗ୍‌ରେ ଖାଲିପଡ଼ିଥିବା ଏକମାତ୍ର ସ୍ଥାନ ହାସଲ କରିଥିଲା। ରୋଡ୍ରିଗୁଏଜ୍‌ ୟୁଫା (ୟୁନିୟନ ଅଫ୍‌ ୟୁରୋପିଆନ୍‌ ଫୁଟ୍‌ବଲ ଆସୋସିଏଶନ୍ସ)ର ଜଣେ ଲାଇସେନ୍ସପ୍ରାପ୍ତ କୋଚ୍‌। ବିଭିନ୍ନ ସ୍ତରରେ ତାଙ୍କର ଦୀର୍ଘ ୨୫ ବର୍ଷର ଅଭିଜ୍ଞତା ରହିଛି। ସେ ପ୍ରଥମେ ସ୍ପେନଡ଼ରେ କ୍ଲବ ସ୍ତରରେ ତାଙ୍କ କୋଚିଂ କ୍ୟାରିୟର ଆରମ୍ଭ କରିଥିଲେ। ଭାରତୀୟ ଫୁଟ୍‌ବଲ ପାଇଁ ସେ କିନ୍ତୁ ନୂଆ ନୁହନ୍ତି। ୨୦୧୪ ନଭେମ୍ବରରୁ ୨୦୧୬ ଜୁଲାଇ ପର୍ଯ୍ୟନ୍ତ ଭାରତରେ ଆର୍ସେନାଲ ସକ୍କର ସ୍କୁଲର ବୈଷୟିକ ପରାମର୍ଶଦାତା ଭାବେ ପୁଣେରେ ଅବସ୍ଥାନ କରୁଥିଲେ। ଏହି ସମୟରେ ସେ ଆହୁରି ମଧ୍ୟ ଇଣ୍ଡିଆନ ସୁପର ଲିଗ୍‌ ଟିମ୍‌ ଏଫ୍‌ସି ପୁଣେର ଜଣେ ସଦସ୍ୟ ଥିଲେ। ରୋଡ୍ରିଗୁଏଜ୍‌ ପରେ ୨୦୧୭ରେ ଆଇ-ଲିଗ୍‌ କ୍ଲବ ମିନର୍ଭା ପଞ୍ଜାବ ପାଇଁ କାର୍ଯ୍ୟ କରିଥିଲେ।

Share