ପାହାଡ଼ରୁ ଖସିଲା ପଥର: ମାଲ୍‌ବାହୀ ଟ୍ରେନ୍‌ ଲାଇନଚ୍ୟୁତ

କୋରାପୁଟ,୫ା୫(ଅମିତାଭ ବେହେରା ): ଆନ୍ଧ୍ରର ଶିବଲିଙ୍ଗପୁରମ ନିକଟସ୍ଥ ରେଳ ଧାରଣାରେ ପାହାଡ଼ରୁ ପଥର ଖସି ରବିବାର ଭୋର ସମୟରେ ଏକ ମାଲବାହୀ ଟ୍ରେନ୍‌ ଇଞ୍ଜିନ ଲାଇନଚ୍ୟୁତ ହୋଇଛି। ଫଳରେ ମାଲବାହୀ ଟ୍ରେନର ଇଞ୍ଜିନ ଟ୍ରାକ୍‌ରୁ କିଛି ଅଂଶ ଖସିଯାଇଛି। ଟ୍ରାକ ଉପରେ ବଡ ପଥର ପଡିଯିବାରୁ ଟ୍ରେନ ଇଞ୍ଜିନ ଲାଇନଚ୍ୟୁତ ହୋଇଥିବା ଜଣାପଡିଛି ।

ଏଥିଯୋଗୁ ଉକ୍ତ ଲାଇନରେ ପ୍ରାୟ ୨ ଘଣ୍ଟା ଧରି କୋରାପୁଟ-ଆରୁକୁ-ବିଶାଖାପାଟଣା ରେଳ ଚଳାଚଳ ବନ୍ଦ ରହିଥିଲା। ଏ ସମ୍ପର୍କରେ ଖବର ପାଇ ରେଲଓ୍ବେ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଟ୍ରାକରେ ଏପରି ଘଟଣା ଘଟିଥିବାରୁ ଅନେକ ଟ୍ରେନ ବିଳମ୍ବରେ ଚାଲୁଥିବା ଖବର ମିଳିଛି।

ଖବର ପାଇ ବିଶାଖାପାଟଣା ରେଳ ଡିଭିଜନର ଏକ ଯାନ୍ତ୍ରିକ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚତ୍ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରିଥିଲେ। ପରେ ଏହି ରୁଟ୍‌ରେ ଟ୍ରେନ ଚଳାଚଳ ସ୍ବାଭାବିକ ହୋଇଥିବା କୋରାପୁଟ ରେଳବାଇ ପକ୍ଷରୁ କୁହାଯାଇଛି।