ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟ୍‌ କରି ଖସି ପଳାଉଥିଲେ, ଧରି ଛେଚିଲେ ଗ୍ରାମବାସୀ

ବାଲେଶ୍ୱର ଅଫିସ,୮ା୮: ବାଲେଶ୍ୱର ଜିଲା ସୋର ଅନନ୍ତପୁର ରାସ୍ତା ପାଖ ଛକ ନିକଟରେ ବିଳମ୍ବିତ ରାତିରେ ଦୁଇଟି ବାଇକ୍‌ରେ ୩ ଜଣ ଯୁବକ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଲୁଟ୍‌ କରିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଗ୍ରାମବାସୀଙ୍କ ହାତରେ ଧରାପଡ଼ିଛନ୍ତି। ଗ୍ରାମବାସୀ ମିଳିତ ଭାବରେ ଲୁଟେରାକୁ ଉତ୍ତମ ମଧ୍ୟମ ଦେଇ ପୋଲିସକୁ ହସ୍ତାନ୍ତର କରିଛନ୍ତି।

ଘଟଣାରୁ ପ୍ରକାଶ, ବାଇକ୍‌ ଯୋଗେ ମଲିପୁର ଯାଉଥିବା ବସନ୍ତ ପାତ୍ରଙ୍କୁ ଦୁଇ ବାଇକ୍‌ରେ ତିନି ଲୁଟେରା ଅଟକାଇ ତାଙ୍କ ମୁଣ୍ଡରେ ବନ୍ଧୁକ ଓ ଛୁରି ଲଗାଇ ବସନ୍ତଙ୍କ ନିକଟରେ ଥିବା ଟଙ୍କା ଓ ଏଟିଏମ୍‌ ଲୁଟ୍‌ କରି ଫେରାର ହୋଇଯାଉଥିଲେ। ବସନ୍ତ ପାଟି କରି ଡାକିବାରୁ ସ୍ଥାନୀୟ ଲୋକେ ଆଗ ଛକରେ ଲୁଟେରାଙ୍କୁ ଅଟକାଇଥିଲେ। ଦୁଇ ଲୁଟେରା ଖସି ଯାଇଥିଲେ। ଜଣେ ଲୁଟେରାକୁ ଗ୍ରାମବାସୀ କାବୁ କରିଥିଲେ। ଏହା ପରେ ତାଙ୍କୁ ବାନ୍ଧି ନିର୍ଧୂମ ଛେଚି ପୋଲିସ ଜିମା ଦେଇଛନ୍ତି ଗ୍ରାମବାସୀ । ଲୁଟେରାଙ୍କ ଠାରୁ ଲୋକେ ବନ୍ଧୁକ, ଛୁରି ଓ ଗୋଟିଏ ବାଇକ୍‌ ଜବତ କରି ପୋଲିସ ଜିମା ଦେଇଥିବା ଜଣାପଡ଼ିଛି।