ବଲାଙ୍ଗୀର, ୨୩।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ସିନ୍ଧେକେଲା ଅଞ୍ଚଳରେ ଏକ ବଡ଼ଧରଣର ସଶସ୍ତ୍ର ଡକାୟତି ଘଟଣା ଘଟିଛି। ସିନ୍ଧେକେଲା ଥାନାଠାରୁ ମାତ୍ର ୧୦୦ ମିଟର ଦୂରରେ ମୁଖ୍ୟ ଛକରେ ଥିବା ସୁନା ବ୍ୟବସାୟୀ ଫୁଲଚନ୍ଦ ଜୈନଙ୍କ ଘରେ ପଶି ଦୁର୍ବୃତ୍ତମାନେ ଡକାୟତି କରିଥିବା ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ, ଭୋର ପ୍ରାୟ ୩ଟା ସମୟରେ ଏକ ନୂଆ ବୋଲେରୋ ଗାଡ଼ିରେ ୬ ଜଣ ଡକାୟତ ଆସିଥିଲେ। ସେମାନଙ୍କ ମଧ୍ୟରୁ ୪ ଜଣ ହାତରେ ମାରଣାସ୍ତ୍ର ଧରି ଘର ଭିତରକୁ ପଶିଥିବା ବେଳେ ଅନ୍ୟ ୨ ଜଣ ବାହାରେ ଜଗି ରହିଥିବା ଜଣାପଡ଼ିଛି।
ଘଟଣା ସମୟରେ ଘରେ ଫୁଲଚନ୍ଦ ଜୈନ, ତାଙ୍କ ବୃଦ୍ଧା ପତ୍ନୀ ଓ ନାତୁଣୀ ଉପସ୍ଥିତ ଥିଲେ। ତାଙ୍କ ପୁଅ ଓ ବୋହୂ ଚିକିତ୍ସା ସମ୍ପର୍କିତ କାମରେ ରାୟପୁର ଯାଇଥିଲେ। ଡକାୟତମାନେ ଫୁଲଚନ୍ଦ ଜୈନ ଓ ତାଙ୍କ ପତ୍ନୀଙ୍କୁ ମାଡ଼ ମାରିବା ସହ ମାରଣାସ୍ତ୍ର ଦେଖାଇ ଧମକ ଦେଇ ଘରୁ ସୁନାଗହଣା ଓ ନଗଦ ଟଙ୍କା ଲୁଟି ନେଇଥିବା ଥାନାରେ ଅଭିଯୋଗ ହୋଇଛି।
ଏପରିକି ଡକାୟତମାନେ ଘରେ ଲାଗିଥିବା ସିସିଟିଭିର ହାର୍ଡଡିସ୍କ ମଧ୍ୟ ନେଇଯାଇଥିବା ଅଭିଯୋଗ ହୋଇଛି। ଘଟଣା ପରେ ସିନ୍ଧେକେଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି। ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯିବା ପରେ ଡକାୟତ ଦଳକୁ ଧରିବା ପାଇଁ ପୋଲିସ ତଦନ୍ତ ଜୋରଦାର କରିଛି।
ବ୍ୟବସାୟୀଙ୍କ ଏତଲା ଅନୁସାରେ, ପ୍ରାୟ କୋଟିଏ ଟଙ୍କାର ସୁନାଗହଣା ଓ ନଗଦ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଥାନାଠାରୁ ମାତ୍ର ୧୦୦ ମିଟର ଦୂରରେ ଏଭଳି ସଶସ୍ତ୍ର ଡକାୟତି ଘଟଣାକୁ ନେଇ ସିନ୍ଧେକେଲା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି।
ଡକାୟତମାନଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ସାଇଣ୍ଟିଫିକ୍ ଟିମ୍ର ସହାୟତା ନିଆଯିବାକୁ ଥିବା ଜଣାପଡ଼ିଛି। ଏବେ ଡକାୟତମାନଙ୍କୁ ଧରିବା ସହ ଲୁଟ୍ ହୋଇଥିବା ଟଙ୍କା ଓ ସୁନାଗହଣା ଉଦ୍ଧାର କରିବା ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି।