ରାସ୍ତା ଭାଙ୍ଗୁଛି ବାହାଘର: ମୌଳିକ ସୁବିଧାରୁ ବଞ୍ଚତ୍ତ କୁଆଡ଼ବାସୀ

ହାଟଡିହୀ,୬।୯(ଶୁଭକାନ୍ତ ନାୟକ):: ସ୍ବାଧୀନତାର ୮୦ ବର୍ଷ ପରେ ବି ଗାଁକୁ ଭଲ ରାସ୍ତା ନାହିଁ। ରାସ୍ତା ଯୋଗୁ ଗ୍ରାମବାସୀ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ମୁଖ୍ୟତଃ ଗାଁରେ ବନ୍ଧୁ ବାନ୍ଧିବାକୁ କେହି ରାଜି ହେଉନାହାନ୍ତି। ବର ଓ କନ୍ୟା ପକ୍ଷ ଆସି ଗାଁ ରାସ୍ତା ଅବସ୍ଥା ଦେଖି ଫେରିଯାଉଛନ୍ତି। କେବଳ ବିପର୍ଯ୍ୟସ୍ତ ରାସ୍ତା ଯୋଗୁ ଗାଁର ଯୁବତୀଯୁବକଙ୍କ ବାହାଘର ଭାଙ୍ଗି ଯାଉଛି। ସରକାର ଡିଜିଟାଲ ଇଣ୍ଡିଆ, ସ୍ମାର୍ଟ ଭିଲେଜର ଡିଣ୍ଡିମ ପିଟୁଥିବା ବେଳେ ଆଜି ବି କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ର କୁଆଡ଼ ଗ୍ରାମବାସୀ ରାସ୍ତା ଭଳି ମୌଳିକ ସୁବିଧାରୁ ବଞ୍ଚତ୍ତ ରହିଛନ୍ତି। ବାରମ୍ବାର ଆପତ୍ତି, ଦାବି କରିବା ପରେ ମଧ୍ୟ ଏଯାବତ କୌଣସି ଫଳ ମିଳି ନ ଥିବାରୁ ଗ୍ରାମବାସୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ପ୍ରକାଶ ଯେ, ଗ୍ରାମରେ ପ୍ରାୟ ୯୦ ପରିବାରର ୫୦୦ରୁ ଊର୍ଦ୍ଧ୍ୱ ଲୋକ ବସବାସ କରନ୍ତି। ସମଣା ରାଜସ୍ବ ଗ୍ରାମ ଅଧୀନରେ ଗ୍ରାମଟି ଥିବା ବେଳେ ବୈତରଣୀ ନଦୀକୂଳରେ ହୋଇଥିବାରୁ ଅଧିକାଂଶ ଲୋକ ଚାଷ ଉପରେ ନିର୍ଭରଶୀଳ। ବ୍ଲକ୍‌ଠାରୁ ମାତ୍ର ୧୫କି.ମି. ଦୂରରେ ଗ୍ରାମଟି ରହିଥିଲେ ହେଁ ଗାଁକୁ ଚଳାଚଳ ଉପଯୋଗୀ ରାସ୍ତା ନାହିଁ l ଗ୍ରାମବାସୀ ଦୀର୍ଘ ବର୍ଷ ଧରି ଦାବିକରି ଆସୁଥିଲେ ହେଁ ରାଜସ୍ବ ଗ୍ରାମ ଭାବେ ଘୋଷଣା ହୋଇପାରିନାହିଁ। ଗାଁକୁ ଯିବା ପାଇଁ ୩ ରାସ୍ତା ରହିଛି, ମାତ୍ର ସବୁ ରାସ୍ତା ବିପର୍ଯ୍ୟସ୍ତ। ଅଢ଼େଇଦୁଆରରୁ କେନାଲ ମାଟିବନ୍ଧ ରାସ୍ତା ବର୍ଷା ହେଲେ ଧସିବା ସହ କାଦୁଅ ପଚପଚ ହୋଇଯାଏ। ସରିଦା ଗ୍ରାମରୁ ବିଲ ହିଡ଼ ମାଟି ରାସ୍ତାଟି ଆଣ୍ଠୁଏ କାଦୁଅ। ଏଥିସହ ଗୋବିନ୍ଦପୁର ଗ୍ରାମରୁ ପାଣି ଭର୍ତ୍ତି ମାଟି ଖାଲ ରାସ୍ତା ରହିଛି। ରାସ୍ତାରେ ଗାଡ଼ି ତ ଦୂରର କଥା, ଚାଲିକି ଯିବା କଷ୍ଟ ହୁଏ। ଗାଁକୁ ଯିବାକୁ ହେଲେ ପ୍ରଥମେ ୨ ରୁ ୩ କି.ମି. କାଦୁଅ ରାସ୍ତାରେ ଚାଲି ଚାଲି ଯିବାକୁ ପଡ଼େ। ଆମ୍ବୁଲାନ୍ସ ତ ଦୂରର କଥା ବର୍ଷାଦିନେ ବାଇକ୍‌ଟିଏ ବି ଗାଁ ଭିତରକୁ ଯାଇପାରୁନାହିଁ। ଆପାତକାଳୀନ ସମୟରେ ରୋଗୀଙ୍କୁ ବୋହି ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ନେବାକୁ ପଡ଼େ। ପିଲାମାନେ କାଦୁଅରେ ପଶି ସ୍କୁଲ ଯାଆନ୍ତି। ରାଶନ ସାମଗ୍ରୀ ଆଣିବାକୁ ଗ୍ରାମବାସୀ କାଦୁଅ ରାସ୍ତାରେ ଚାଲି ଚାଲି ପ୍ରାୟ ୨କି.ମି. ଦୂର ପଞ୍ଚାୟତ କାର୍ଯ୍ୟାଳୟକୁ ଯିବାକୁ ବାଧ୍ୟ ହୁଅନ୍ତି। ଆନନ୍ଦପୁର ସିଭିଲ ସୋସାଇଟି ସମ୍ପାଦକ ଭଗବାନ ମଲ୍ଲିକ କହିଛନ୍ତି, ସ୍ବାଧୀନତାର ୮୦ ବର୍ଷ ପରେ କୁଆଡ଼ ଗ୍ରାମକୁ ରାସ୍ତା ନ ହେବା ଦୁର୍ଭାଗ୍ୟଜନକ। ଗ୍ରାମର ନିରୁପମା ସେଠୀ, ମାଣିକ ବାରିକ, ସାବିତ୍ରୀ ସାହୁ, ଧରିତ୍ରୀ ବାରିକ, ନିରୁପମା ସା, କୁମୁଦିନୀ ସେଠୀ, କଳ୍ପନା ବାରିକ, କୋକିଳ ବାରିକ, ଚନ୍ଦ୍ରମଣି ବାରିକ ପ୍ରମୁଖ କହିଛନ୍ତି, ସରକାର, ଜିଲାପାଳ, ତହସିଲଦାର, ବିଡିଓ, ନେତା, ବିଧାୟକ ସବୁ ବଦଳୁଛନ୍ତି l କିନ୍ତୁ ଆମ ଗାଁର ରାସ୍ତା ଦୁଃଖ ବଦଳୁନାହିଁ। ରାସ୍ତା ଯୋଗୁ ଆମ ଝିଅ, ପୁଅଙ୍କ ବିବାହ ହୋଇପାରୁନାହିଁ। ଝିଅ, ପୁଅ ଦେଖିବାକୁ ଆସୁଥିବା ବନ୍ଧୁ ରାସ୍ତା ଦେଖି ଫେରିଯାଉଛନ୍ତି। ତଥାପି ମୁଖ୍ୟମନ୍ତ୍ରୀଙ୍କ ଜିଲାରେ ଏହି ଗ୍ରାମଟି ହୋଇଥିବାରୁ ରାସ୍ତା ଦୁଃଖ ଦୂର ହେବ ବୋଲି ଆଶା ରଖିଛୁ। ସମଣା ସରପଞ୍ଚ ଜଗବନ୍ଧୁ କାଣ୍ଡି କହିଛନ୍ତି, ମୁଖ୍ୟମନ୍ତ୍ରୀ, ଜିଲାପାଳ, ଜିଲାପାଳଙ୍କ ଅଭିଯୋଗ ଶୁଣାଣି, ଆନନ୍ଦପୁର ଉପ ଜିଲାପାଳଙ୍କୁ ଜଣାଇଛୁ। ପଞ୍ଚାୟତ ସମିତି ବୈଠକରେ ମଧ୍ୟ ଜଣାଯାଇଛି। ରାସ୍ତା ନିର୍ମାଣ ପାଇଁ ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ଥର ଅଭିଯୋଗ ହେଲାଣି। କିନ୍ତୁ ରାସ୍ତା ନିର୍ମାଣ ହୋଇପାରୁନାହିଁ। ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସଞ୍ଜୟ କୁମାର ନନ୍ଦ କହିଛନ୍ତି, ଗାଁକୁ ଚଳାଚଳ କରିବା ପରି ରାସ୍ତା ନ ଥିବା ସେ ଜାଣିଛନ୍ତି। କିନ୍ତୁ କୌଣସି ଗ୍ରାମବାସୀ ରାସ୍ତା ସମସ୍ୟା ବାବଦରେ ତାଙ୍କୁ ଜଣାଇନାହାନ୍ତି। ବିଡିଓ ରଞ୍ଜନ କୁମାର ପରିଡା କହିଛନ୍ତି, ଉକ୍ତ ଗାଁକୁ ରାସ୍ତା ନ ଥିବା ଜାଣିଛନ୍ତି। ରାସ୍ତା ନିର୍ମାଣ ପାଇଁ ବ୍ୟବସ୍ଥା କରାଯିବ। ଆନନ୍ଦପୁର ଉପଜିଲାପାଳ ନୀଳମାଧବ ସୁନା କହିଛନ୍ତ, କୁଆଡ଼ ଗାଁକୁ ଯଦି ରାସ୍ତା ସମସ୍ୟା ଥିବ, ପଦକ୍ଷେପ ନିଆଯିବ।

Dharitri – Odisha’s No.1 Odia Daily

Share