ବିନା ସୂଚନା ଫଳକରେ ଚାଲିଛି ରାସ୍ତା କାମ

କେନ୍ଦୁଝର, ୨୪।୧୨(ସ୍ବ.ପ୍ର.): କେନ୍ଦୁଝର ସଦର ବ୍ଳକ ଅନ୍ତର୍ଗତ ମହାଦେଈଯୋଡା ଗ୍ରାମ ପଞ୍ଚାୟତର ସଲରାପେଣ୍ଠ-ନାଉପଦା ରାସ୍ତା ନିର୍ମାଣରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଏହି ରାସ୍ତା ନାଉପଦା ଖଣି ଅଞ୍ଚଳ ଦେଇ ଯାଉଥିବାରୁ ଏହାର ନିର୍ମାଣ କାର୍ଯ୍ୟ ପଞ୍ଚାୟତ ପକ୍ଷରୁ କରାଯିବାରୁ ତାହାକୁ ନେଇ ଅସନ୍ତୋଷ ଦେଖାଦେଇଛି। ନାଉପଦା ଗାଁ ଲୋକ ଯାତାୟାତ କରୁଥିବା ନିତିଦିନିଆ ରାସ୍ତାକୁ ମରାମତି ବା ଉନ୍ନତିକରଣ କରା ନ ଯାଇ ଖଣି ପରିସର ମାଟି ରାସ୍ତାକୁ ସମତଳ କରି ଓ ଅଳ୍ପ କିଛି ମୋରମ ପକାଇ ବିଲ୍‌ କରାଯାଇଥିବା ଅଭିଯୋଗ ହୋଇଛି। ରାସ୍ତା କଡରୁ ଜେସିବି ମେଶିନରେ ମୋରମ ଖୋଳି ଏବଂ ଶାଳ ଗଛ ନଷ୍ଟ କରି ରାସ୍ତା କାମ କରାଯାଇଥିବାରୁ ଏହାର ତଦନ୍ତ ବନ ବିଭାଗ ପକ୍ଷରୁ କରିବାକୁ ଦାବି ହୋଇଛି। ସେହିପରି ମୋରମ ଖୋଳିବା ଦ୍ୱାରା ରାସ୍ତାକଡ଼ରେ ଖାଲଖମା ହୋଇ ଅସୁରକ୍ଷିତ ହୋଇପଡିଛି। ଯାହାର ତଦନ୍ତ ରାଜସ୍ବ ଓ ଖଣି ବିଭାଗ ଦ୍ୱାରା କରାଗଲେ ହୋଇଥିବା କ୍ଷୟକ୍ଷତି ଆକଳନ କରାଯାଇପାରିବ ବୋଲି ଗ୍ରାମବାସୀ କହିଛନ୍ତି। ଏହି ରାସ୍ତା ଚତୁର୍ଦ୍ଦଶ ଅର୍ଥ କମିଶନ ଅନୁଦାନରେ ଲକ୍ଷାଧିକ ଟଙ୍କା ବ୍ୟୟରେ ଖର୍ଚ୍ଚ ହୋଇଥିବା ଦର୍ଶାଯାଉଥିବାବେଳେ ପ୍ରକୃତ ପକ୍ଷେ ମାତ୍ର ୩୦/୪୦ ହଜାର ଟଙ୍କା ଖର୍ଚ୍ଚ କରି ବାକି ଅର୍ଥ ହଡପ ହୋଇଥିବା ଅଭିଯୋଗର ଭିଜିଲାନ୍ସ ତଦନ୍ତ ଦାବି ହୋଇଛି। ଏସମ୍ପର୍କରେ କେନ୍ଦୁଝର ପିଡିଡିଆରଡିଏ ଡକ୍ଟର ଉଦ୍ଧବ ଚନ୍ଦ୍ର ମାଝୀଙ୍କୁ ପଚାରିବାରୁ ବିନା ସୂଚନା ଫଳକରେ କାମ କରାଯିବା ଏବଂ କାମର ମାନକୁ ନେଇ ତୁରନ୍ତ ତଦନ୍ତ କରାଯିବ ବୋଲି କହିଛନ୍ତି।