ବୈଶିଙ୍ଗା, ୧୮।୭ (ରତନ ଦାଶ): ଲଗାଣ ବର୍ଷା ଯୋଗୁ ସୃଷ୍ଟି ହୋଇଥିବା ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ଦାବି କରି ଶନିବାର ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ତଥା ବେତନଟୀ ବ୍ଲକ ଅନ୍ତର୍ଗତ ସନ୍ତରା ପଞ୍ଚାୟତରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ପ୍ରଶାସନର ଉଦାସୀନତା ପ୍ରତିବାଦରେ ସନ୍ତରା ଓ ମଦାସାହି ଗ୍ରାମବାସୀ ସମ୍ମିଳିତ ଭାବେ ଶନିବାର ସକାଳୁ ଜରକା ଛକରୁ ମେର୍ଦା ଯାଇଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ।
ଲଘୁଚାପ ବର୍ଷା ଯୋଗୁ ସନ୍ତରା ପଞ୍ଚାୟତର ୧୦ ନମ୍ବର ୱାର୍ଡ ସମେତ ସନ୍ତରା-ମଦାସାହି ରାସ୍ତା ସମ୍ପୂର୍ଣ୍ଣ ଜଳମଗ୍ନ ହୋଇପଡ଼ିଛି। ପ୍ରାୟ ୨୦୦ରୁ ଅଧିକ ପରିବାର ପାଣି ଘେରରେ ଫସି ରହିଥିବା ବେଳେ ଲୋକଙ୍କ ଘର ଭିତରକୁ ମଧ୍ୟ ବର୍ଷା ଜଳ ପଶିଯାଇଛି। ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ଚାଲୁଥିବାରୁ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ଫଳରେ ସ୍ଥାନୀୟ ଲୋକେ ଦୋକାନବଜାର, ଡାକ୍ତରଖାନା, ସ୍କୁଲ ଓ କଲେଜ ଯିବାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ଛାତ୍ରଛାତ୍ରୀ, ବୃଦ୍ଧ ଓ ରୋଗୀମାନେ ଅଧିକ ହଇରାଣ ହେଉଛନ୍ତି। ପ୍ରତିବର୍ଷ ବର୍ଷା ଦିନେ ଏଭଳି ସମସ୍ୟା ଉପୁଜୁଥିଲେ ମଧ୍ୟ ବାରମ୍ବାର ଅଭିଯୋଗ ସତ୍ତ୍ୱେ ପ୍ରଶାସନ ବର୍ଷା ଜଳ ନିଷ୍କାସନର କୌଣସି ସ୍ଥାୟୀ ପ୍ରତିକାର କରୁ ନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଥିଲା। ଶେଷରେ ବାଧ୍ୟ ହୋଇ ଶନିବାର ସକାଳ ୮ଟାରୁ ଗ୍ରାମବାସୀମାନେ ଯୁଗପୁରା ପୋଷ୍ଟ ଅଫିସ ନିକଟରେ ଟାୟାର ଜାଳି ରାସ୍ତାରୋକ କରିଥିଲେ, ଯେଉଁଥିପାଇଁ ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଗାଡ଼ି ମୋଟର ଦୀର୍ଘ ସମୟ ଧରି ଅଟକି ରହିଥିଲା।
ଘଟଣାର ଖବର ପାଇ ବୈଶିଙ୍ଗା ଥାନାଧିକାରୀ ବାରିଣୀ ଦାସ ସଦଳବଳେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ। ପରେ ବେତନଟୀ ବିଡ଼ିଓ ମୁନା ସେଠୀ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ଅଜିତ କୁମାର ଜେନା ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଲୋକଙ୍କ ସହ ଆଲୋଚନା କରିଥିଲେ। ବର୍ଷା ଜଳ ନିଷ୍କାସନ ପାଇଁ ଏକ କଂକ୍ରିଟ ଡ୍ରେନ ନିର୍ମାଣ କରାଯାଇ ୭୦୦ ମିଟର ଦୂରରେ ଥିବା ସୁବର୍ଣ୍ଣରେଖା ଜଳସେଚନ କେନାଲ ସହ ସଂଯୋଗ କରାଯିବ ଏବଂ ଆସନ୍ତା ମାର୍ଚ୍ଚ ମାସ ସୁଦ୍ଧା ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ବୋଲି ବିଡ଼ିଓ ପ୍ରତିଶ୍ରୁତି ଦେଇଛନ୍ତି। ଉଚ୍ଚ ଅଧିକାରୀଙ୍କ ଏହି ଲିଖିତ ପ୍ରତିଶ୍ରୁତି ପରେ ଦିନ ୨ଟା ସମୟରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ଏବଂ ଯାନବାହାନ ଚଳାଚଳ ସ୍ୱାଭାବିକ ହୋଇଥିଲା।