ଦାରିଙ୍ଗବାଡି, ୨୩।୧୨ (ଅରୁଣ ସାହୁ): ଏକ ପନିପରିବା ବୋଝେଇ ମିନିଟ୍ରକ ଦୁର୍ଘଟଣା ଘଟି ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ହେଲପର ଆହତ ହୋଇଛନ୍ତି। ପ୍ରକାଶଯେ, ନବରଙ୍ଗପୁର ଜିଲା ଉମରକୋଟ ଅଞ୍ଚଳରୁ ଏକ ପରିବା ବୋଝେଇ ଟ୍ରକଟି ୫୯ ନଂ ଜାତୀୟରାଜପଥର ବାଲିଗୁଡା, ଦାରିଙ୍ଗବାଡି ଦେଇ ବ୍ରହ୍ମପୁର ଅଭିମୁଖେ ଯାଉଥିଲା । ତେବେ ପ୍ରବଳ କୁହୁଡି ସାଙ୍ଗକୁ ଶୀତର ପ୍ରକୋପ ଯୋଗୁ ଗାଡି ଚାଳକଙ୍କୁ ଭଲ ଭାବେ ରାସ୍ତା ଦୃଶ୍ୟମାନ ହୋଇନଥିଲା ଏବଂ ଦଣ୍ଡିମା ନିକଟରେ ଏକ ବିଶାଳ ଗଛକୁ ଧକ୍କା ଦେଇଥିଲା । ଫଳରେ ଉକ୍ତ ମିନିଟ୍ରକ ଭିତରେ ହିଁ ଚାଳକ ଚାପି ହୋଇରହିଯାଇଥିଲେ । ତେବେ କୌଶଳ କ୍ରମେ ମିନିଟ୍ରକ ଭିତରୁ ହେଲପର ବାହାରି ଦୁର୍ଘଟଣାର ପ୍ରାୟ ୫୦ ମିଟର ଦୂରତାରେ ଥିବା ଗାଁ ଲୋକଙ୍କୁ ଉଠାଇ ସାହାଯ୍ୟ ମାଗିଥିଲେ। ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ଚାପିହୋଇଯାଇଥିବା ଚାଳକଙ୍କୁ ବାହାର କରିବାକୁ ଉଦ୍ୟମ କରିଥିଲେ ଓ ପୋଲିସ ଏବଂ ଅଗ୍ନିଶମବିଭାଗକୁ କଲ କରି ଜଣାଇଥିଲେ। ଘଟଣାସ୍ଥଳରେ ପୋଲିସ ଏବଂ ଅଗ୍ନିଶମ ବିଭାଗ ପହଞ୍ଚି ଚାପି ହୋଇରହିଥିବା ଚାଳକଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ଉଦ୍ଧାର ପାଇଁ ଅଗ୍ନିଶମ ବିଭାଗ ନିକଟରେ ଆବଶ୍ୟକ ଯନ୍ତ୍ରପାତି ନ ଥିଲା ଫଳରେ ବାଲିଗୁଡା ଅଗ୍ନିଶମ ବିଭାଗକୁ ଡକାଯାଇ ଟ୍ରକର ଅନେକ ଅଂଶକୁ କାଟି ଚାଳକଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିଲା । ପୋଲିସ ଦୁର୍ଘଟଣା ମିନିଟ୍ରକକୁ ଜବତ କରିବା ସହ ମୃତଦେହକୁ ଜବତ କରି ଦାରିଙ୍ଗବାଡି ସ୍ବାସ୍ଥ୍ୟକେନ୍ଦ୍ରରେ ମୃତଦେହ ରଖାଯାଇଥିବା ପୋଲିସ କହିଛି ।


