ମରାମତି ନାଁରେ ଖୋଳିଦେଲେ ରାସ୍ତା, ଲୋକେ ହନ୍ତସନ୍ତ

ପଦ୍ମପୁର,୨୭।୪(ପ୍ରଦୀପ୍ତ ଦାଶ): ପ୍ରତି ଓ୍ବାର୍ଡ ଓ ଘରକୁ ପାଣି ପାଇପ ବିଛାଇବା ପାଇଁ ଠିକାଦାର ରାସ୍ତାକୁ ଭାଙ୍ଗି ଦେଉଛନ୍ତି। କିନ୍ତୁ କାମ ସାରିବା ପରେ ଏହି ରାସ୍ତା ମରାମତି କଥା ଭୁଲି ଯାଉଛନ୍ତି, ଯାହାକି ସାଧାରଣରେ ଅସନ୍ତୋଷ ସୃଷ୍ଟି ହୋଇଛି। ପଦ୍ମପୁର ଥାନା ଛକରୁ ମେଜର କଟାଁ ରାସ୍ତାରେ ଏହି ସମସ୍ୟା ସୃଷ୍ଟି ହୋଇଛି। ବ୍ଲକକୁ ଯାଉଥିବା ଲୋକ, ଚିକିତ୍ସା ପାଇଁ ଯାଉଥିବା ରୋଗୀ, ମନ୍ଦିର ଯାଉଥିବା ଲୋକେ ଏହି ରାସ୍ତାଦେଇ ଯିବା ଆସିବା କରିଥାନ୍ତି। ମାତ୍ର ଠିକା ସଂସ୍ଥା ଏହାର ମରାମତିର ନାଁ ନେଉନାହିଁ।

ସେହିପରି ପଦ୍ମପୁର ଭେଉଁରିଆ ଛକରୁ କପସିଲା ଛକ ପର୍ଯ୍ୟନ୍ତ ପାଇପ ଲାଇନ ମରାମତି କାର୍ଯ୍ୟ ନାମରେ ବିଜୁ ଏକ୍ସପ୍ରେସ ରାସ୍ତାର ବିଭିନ୍ନ ସ୍ଥାନ ଖୋଳିଦେଇ ନିମ୍ନମାନର ମରାମତି କରିଛନ୍ତି। ଫଳରେ ସେଠାରେ ଗର୍ତ୍ତ ସୃଷ୍ଟି ହେବା ସହିତ ପଥଚାରୀ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ଏ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ ମଧ୍ୟ ନୀରବତା ଅବଲମ୍ବନ କରିବା ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ପ୍ରଶାସନ ପକ୍ଷରୁ ସମ୍ପୃକ୍ତ ଠିକାସଂସ୍ଥା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହେଉଛି।

 

Dharitri – Odisha’s No.1 Odia Daily

Share