ରାସ୍ତା ଦବିଗଲା, ନିର୍ମାଣ କାର୍ଯ୍ୟରେ ଦୁର୍ନୀତି

ଗୋପ,୨୮।୧୦(ଡି.ଏନ୍‌.ଏ.):ଗୋପ ବ୍ଲକ କାର୍ଯ୍ୟାଳୟ ପରିସର ଦେଇ ଯାଇଥିବା ଏକ ରାସ୍ତା କାର୍ଯ୍ୟରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ରାସ୍ତାଟି କିଛି ମାସ ତଳେ ଚତୁର୍ଦ୍ଦଶ ଅର୍ଥ କମିଶନ ଟଙ୍କାରେ ନିର୍ମାଣ କରାଯାଇଥିବା ବେଳେ ଏବେ ତାହା ଦବି ଖାଲ ହୋଇଯାଇଛି। ପ୍ରକାଶ ଯେ, କିଛି ମାସ ତଳେ ଗୋପ ବ୍ଲକ ପରିସର ମଧ୍ୟରେ ବର୍ଷା ପାଣି ଜମି ରହିଥିବାରୁ ପୁରୀ ଜିଲାପାଳ ସମର୍ଥ ବର୍ମା ଗସ୍ତବେଳେ ଅସନ୍ତୋଷ ପ୍ରକାଶ କରିଥିଲେ। ପରେ ଜିଲାପାଳଙ୍କ ନିର୍ଦ୍ଦେଶରେ ବ୍ଲକ ପରିସରରେ ଫେବର ବ୍ଲକ ଇଟା ପକାଯାଇ ଉକ୍ତ ରାସ୍ତା କାର୍ଯ୍ୟ କରାଯାଇଥିଲା। କିନ୍ତୁ ଅତ୍ୟନ୍ତ ନିମ୍ନମାନର କାର୍ଯ୍ୟ କରାଯାଇଥିବାରୁ ଏହି ରାସ୍ତାଟି ଅଳ୍ପ ଦିନରେ ଦବିଯାଇଛି। ଏହି ରାସ୍ତା କାର୍ଯ୍ୟ ନେଇ ଜଣେ ବ୍ୟକ୍ତି ସୂଚନା ଅଧିକାର ବଳରେ ମାଗିବା ପରେ ରାସ୍ତା ନିର୍ମାଣ ସମୟରେ ଦୁର୍ନୀତି ହୋଇଥିବା ଜଣାପଡ଼ିଛି।
ରାସ୍ତା ନିର୍ମାଣ ପାଇଁ ସାଢ଼େ ୬ ଲକ୍ଷ ଟଙ୍କା ସରକାରୀ ଅର୍ଥ ଆସିଥିବା ବେଳେ ଏହାକୁ ଖର୍ଚ୍ଚ କରିବାକୁ ହେଲେ ପଞ୍ଚାୟତ ସମିତି ବୈଠକରେ ଅନୁମୋଦନ ହେବାର ନିୟମ ରହିଛି। ହେଲେ ତାହା ନ କରାଯାଇ ଉକ୍ତ ଅର୍ଥ ଟଙ୍କାର ଫାଇଲ ଖୋଲାଯାଇ ବ୍ଲକର ଜଣେ କନିଷ୍ଠ ଯନ୍ତ୍ରୀଙ୍କ ନାମରେ କାର୍ଯ୍ୟାଦେଶ ଦିଆଯାଇ ଏହି ରାସ୍ତା କାର୍ଯ୍ୟ ହୋଇଥିଲା। ରାସ୍ତା ନିର୍ମାଣ ଆରମ୍ଭରୁ ବାଲି ପକାଯାଇ ଫେବର ବ୍ଲକ ଇଟା ପକାଇବାର ନିୟମ ଥିବାବେଳେ ଠିକାଦାର ମାଟି ସମାନ କରି ସିମେଣ୍ଟ ଇଟା ପକାଇ ଦେଇଥିଲେ। ଫଳରେ ନିର୍ମାଣର କିଛିଦିନ ପରେ ରାସ୍ତାରେ ଏକ ବଡ଼ ଗର୍ତ୍ତ ସୃଷ୍ଟି ହେବା ସହ ରାସ୍ତା ଦବିଯାଇଛି। ଫଳରେ ବ୍ଲକକୁ ଆସୁଥିବା ଲୋକମାନେ ଏହି ଗର୍ତ୍ତରେ ପଡ଼ିବାର ସମ୍ଭାବନା ରହିଛି। ଅପରପକ୍ଷେ ଗୋପରେ ବ୍ଲକ ବିଲ୍ଡିଂ ମରାମତି, ରଙ୍ଗ କାର୍ଯ୍ୟ ସହିତ ଅନ୍ୟାନ୍ୟ ଠିକାଦାରି କାର୍ଯ୍ୟରେ ଲକ୍ଷାଧିକ ଟଙ୍କାର ଦୁର୍ନୀତି ହୋଇଥିବା ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମିଳିଛି। ଯେଉଁ କନିଷ୍ଠଯନ୍ତ୍ରୀଙ୍କ ନାମରେ କାର୍ଯ୍ୟାଦେଶ ରହିଥିଲା ତାଙ୍କର ବଦଳି ହୋଇଯିବାରୁ ଅଧିକ ସନ୍ଦେହ ସୃଷ୍ଟି କରିଛି। ତେଣୁ ସମ୍ପୃକ୍ତ ସୂଚନା ଅଧିକାର କର୍ମୀ ଭିଜିଲାନ୍ସର ଦ୍ବାରସ୍ଥ ହେବେ ବୋଲି କହିଛନ୍ତି। ଏ ନେଇ ବିଡିଓ ଦୀପ୍ତିରାଣୀ ଦାସ କହିଛନ୍ତି, ରାସ୍ତା ଦୁର୍ନୀତି ସମ୍ପର୍କରେ ମୋ ନିକଟରେ କିଛି ସୂଚନା ନାହିଁ। ଅନ୍ୟପକ୍ଷରେ କେହି ସିମେଣ୍ଟ ଇଟା ଚୋରି କରି ନେବାକୁ ଉଦ୍ୟମ କରୁଥିବା ସମସ୍ତଙ୍କୁ ଚକିତ କରିଛି। ଉକ୍ତ ଘଟଣାର ତଦନ୍ତ ଜିଲାପାଳ କରିବାକୁ ସାଧାରଣରେ ଦାବି ହେଉଛି।