ସଡ଼କ ଦୁର୍ଘଟଣା: ସେପ୍ଟେମ୍ବର- ଅକ୍ଟୋବରରେ ୨୭% ବଢ଼ିଲା

ଭୁବନେଶ୍ୱର,୨୫ା୧୨(ବ୍ୟୁରୋ):ରାଜ୍ୟରେ ଦୁଇମାସରେ ସଡ଼କ ଦୁର୍ଘଟଣା ଆଶାତୀତ ବୃଦ୍ଧି ପାଇଛି। ୨୦୨୦ ସେପ୍ଟେମ୍ବର ଓ ଅକ୍ଟୋବରରେ ୨୭.୫ ପ୍ରତିଶତ ବୃଦ୍ଧି ପାଇଛି। ସଡ଼କ ଦୁର୍ଘଟଣା ବୃଦ୍ଧିକୁ ନେଇ ରାଜ୍ୟ ସରକାର ଉଦ୍‌ବେଗ ପ୍ରକାଶ କରିବା ସହ ଜିଲାପାଳଙ୍କ ଠାରୁ ରିପୋର୍ଟ ତଲବ କରିଛନ୍ତି। କେଉଁ କାରଣରୁ ଦୁର୍ଘଟଣା ବଢୁଛି ସେ ନେଇ ଆସନ୍ତା ୧୪ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଗୁରୁବାର ଏ ନେଇ ବାଣିଜ୍ୟ ଓ ପରିବହନ ବିଭାଗ ସଚିବ ମଧୁସୂଦନ ପାଢ଼ୀ ସମସ୍ତ ଜିଲାପାଳ, ଏସ୍‌ପି, ପରିବହନ ଅଧିକାରୀ ଏବଂ ଟ୍ରାଫି୍‌କ ପୋଲିସକୁ ଚିଠି ଲେଖିଛନ୍ତି।
ଚଳିତ ବର୍ଷ କୋଭିଡ୍‌-୧୯ ଲକ୍‌ଡାଉନ ଓ ଶଟ୍‌ଡାଉନ ଯୋଗୁ ଏପ୍ରିଲରୁ ଅଗଷ୍ଟ ମଧ୍ୟରେ ଦୁର୍ଘଟଣା ହାରରେ ସାମାନ୍ୟ କମି ଥିଲା। ୨୦୧୯ ତୁଳନାରେ ୨୦୨୦ରେ ୨୦ ପ୍ରତିଶତ ହ୍ରାସ ପାଇଥିଲା। ମାତ୍ର ସେପ୍ଟେମ୍ବର ଓ ଅକ୍ଟୋବରରେ ହୋଇଥିବା ଦୁର୍ଘଟଣା ଗତବର୍ଷକୁ ଟପି ଯାଇଛି। ୨୦୧୯ ସେପ୍ଟେମ୍ବର ଓ ଅକ୍ଟୋବରରେ ଦୁର୍ଘଟଣାରେ ୬୮୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୨୦ରେ ଏହି ସମୟରେ ୮୭୨ ଜଣଙ୍କ ମୃତ୍ୟୁ ହୋଇଛି।
ମାଲକାନଗିରି ଜିଲାରେ ମୃତ୍ୟୁ ହାର ୧୬୬ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ କୋରାପୁଟରେ ୧୬୪, କନ୍ଧମାଳରେ ୧୪୨.୮୬ ଏବଂ ନୂଆପଡା ଜିଲାରେ ୧୦୦ ପ୍ରତିଶତ ବୃଦ୍ଧି ପାଇଛି। ୨୦୨୦ ନଭେମ୍ବର ୯ରେ ଭିଡିଓକନ୍‌ଫରେନ୍ସରେ ଅନୁଷ୍ଠିତ ସଡ଼କ ସୁରକ୍ଷା ବୈଠକରେ ଦୁର୍ଘଟଣାକୁ ନେଇ ସୁପ୍ରିମକୋର୍ଟ ଉଦ୍‌ବେଗ ପ୍ରକାଶ କରିବା ସହ ଦୁର୍ଘଟଣା ହାର ହ୍ରସ କରିବାକୁ ଆବଶ୍ୟକ ପଦକ୍ଷେପ ନେବା ପାଇଁ ତାଗିଦ କରିଛନ୍ତି।