ଟ୍ରାକ୍ଟର-ଅଟୋ ମୁହାଁମୁହିଁ ଧକ୍କା; ନାବାଳକ ସମେତ ୩ ଗୁରୁତର, ଜଣେ ମୃତ

ଚିକିଟି,୧୨।୫(ପ୍ରକାଶଚନ୍ଦ୍ର ସାହୁ): କେ ନୂଆଗାଁ ଥାନା ଅନ୍ତର୍ଗତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ନିକଟରେ ମଙ୍ଗଳବାର ଟ୍ରାକ୍ଟର- ଅଟୋ ମୁହାଁମୁହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ତିନିଜଣ ଗୁରୁତର ହୋଇଥିବା ଜଣାପଡିଛି । ମୃତକ ଜଣକ ହେଲେ ଦିଗପହଣ୍ଡି ଥାନା ଦେଓଖାଳି ଗ୍ରାମ ଅମ୍ବିକା ପ୍ରଧାନ (୫୫) । ଆହତ ମାନେ ହେଲେ ଚିକିଟି ବ୍ଲକ ଲାଲମେଣ୍ଟା ଗ୍ରାମର ବିଷ୍ଣୁ ପ୍ରିୟା ପ୍ରଧାନ (୨୮), କେ ନୂଆଗାଁ ପଂଚାୟତ କେ ଖୁଦୁଡ଼ି ଗ୍ରାମର ସୁଶୀଳା ମଲ୍ଲିକ (୩୫), ନାବାଳକ ପୁଅ ମହେଶ ମଲ୍ଲିକ (୧୦), ଚିକିଟି ଅଞ୍ଚଳର ଥବୀର ସାହୁ(୩୫) ।

ସୂଚନା ଯୋଗ୍ୟ ଲାଲମେଣ୍ଟା ଗ୍ରାମର ପଦ୍ମଲୋଚନ ପ୍ରଧାନ ତାଙ୍କ ପତ୍ନୀ ବିଷ୍ଣୁ ପ୍ରିୟା ପ୍ରଧାନ ଉଭୟେ ଚିକିଟି ପେଣ୍ଠରେ ପିଲାଙ୍କ ପାଠପଢ଼ା ସକାଶେ ଦୀର୍ଘ ଦିନ ହେବ ରହି ଆସୁଛନ୍ତି । ଗତ ଏକ ତାରିଖରେ ଦେଓଖାଳି ଗ୍ରାମରେ ଯାତ୍ରା ହେବା ସକାଶେ ଝିଅ ବିଷ୍ଣୁ ପ୍ରିୟା ପ୍ରଧାନ ଜ୍ୱାଇଁ ପଦ୍ମ ଲୋଚନ ପ୍ରଧାନ ପରିବାରଙ୍କୁ ଧରି ଶାଶୁ ଅମ୍ବିକା ପ୍ରଧାନଙ୍କ ଘରକୁ ଆସିଥିଲେ । ଗତ ୧୦ ତାରିଖରେ ଯାତ୍ରା ସରିବା ପରେ ଆଜି ଝିଅକୁ ଧରି ଅଟୋ ଯୋଗେ ଏବଂ ଦେଓଖାଳି ଛକରେ ନିଜ ଗ୍ରାମକୁ ଯିବା ପାଇଁ ଅପେକ୍ଷା ରହିଥିବା କେ ଖୁଦୁଡ଼ି ଗ୍ରାମର ସୁଶୀଳା ମଲ୍ଲିକ ଏବଂ ପୁଅ ମହେଶ ମଲ୍ଲିକ (୧୦) ସମସ୍ତେ ମିଶି ଅଟୋ ଯୋଗେ ଚିକିଟି ଅଭିମୁଖେ ଯାଉଥିଲେ ।

ଏହି ସମୟରେ ବିପରୀତ ଦିଗରୁ ଟ୍ରାକ୍ଟରଟି ଆସି କେ ନୂଆଗାଁ ଥାନା ପାଖରେ ଥିବା ରାଜୀବ ଗାନ୍ଧୀ ସେବା କେନ୍ଦ୍ର ସମ୍ମୁଖରେ ମୁହଁମୁହିଁ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ଡ୍ରାଇଭର ଥବିର ସମେତ ୪ ଜଣ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଆହତ ଅବସ୍ଥାରେ ଡ୍ରାଇଭର ଥବିର, ବିଷ୍ଣୁ ପ୍ରିୟା, ସୁଶୀଳା, ମହେଶ, ଅମ୍ବିକାଙ୍କୁ ଉଦ୍ଧାର କରି ଚିକିଟି ଗଡ଼ ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ ।

ସମସ୍ତଙ୍କ ଅବସ୍ଥା ସଂକଟlପନ୍ନ ଥିବାରୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଚିକିତ୍ସା ଚାଲିଥିବା ସମୟରେ ଅମ୍ବିକା ପ୍ରଧାନଙ୍କ ମୃତ୍ୟୁ ଘଟିଥିବା ଡାକ୍ତର ଘୋଷଣା କରିଥିବା ବେଳେ ଅନ୍ୟମାନେ ଚିକିତ୍ସିତ ହେଉଥିବା ଜଣାପଡୁଛି । କୌଣସି ସୂତ୍ରରୁ ଖବର ପାଇ କେ ନୂଆଗାଁ ଥାନା ଅଧିକାରୀ ବିଶ୍ୱଜିତ ନାୟକ ଘଟଣା ସ୍ଥଳରେ ପହଂଚି ଉଭୟେ ଗାଡିକୁ ଜବତ କରି ଥାନା ପରିସରକୁ ଆଣିବା ସହ ଘଟଣାଟିର ତଦନ୍ତ ଚାଲୁ ରହିଥିବା କହିଛନ୍ତି ।

 

Dharitri – Odisha’s No.1 Odia Daily

Share
Tags: accident