ପ୍ରସୂତିଙ୍କୁ ନେଇ ଯାଉଥିବା ବେଳେ ପିଟିଦେଲା ଟ୍ରକ; ମାଇଁ ମୃତ, ୨ ଗୁରୁତର

ବଲାଙ୍ଗୀର,୧୬।୪( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଟିଟିଲାଗଡ ଥାନା ଭାଲୁ ଡୁଙ୍ଗୁରିରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ଏକ ଟ୍ରକ ଧକ୍କାରେ ମାଇଁଙ୍କର ମୃତ୍ୟୁ ହୋଇଥିବା ବେଳେ ଭଣଜା ସମେତ ପ୍ରସୂତି ମହିଳା ଗୁରୁତର ହୋଇଛନ୍ତି ।

ସୂଚନା ମୁତାବକ ଗୁରୁବାର ସକାଳୁ ଟିଟିଲାଗଡ ଥାନା ଘଣ୍ଟବାହାଲି ଗ୍ରାମର ହାଡ଼ିପା ଛତରଙ୍କ ସ୍ତ୍ରୀ ଘାଟନି ଛତର ତାଙ୍କ ଭଣଜା ରକେଶ ଓ ଜଣେ ପ୍ରସୂତି ମହିଳା ବାଇକ ଯୋଗେ ଟିଟିଲାଗଡ ଯାଉଥିବା ବେଳେ ଭାଲୁଡୁଙ୍ଗୁରି ଛକ ନିକଟରେ ଏକ ଟ୍ରକ ପିଟି ଦେଇଥିଲା । ଘଟଣା ସ୍ଥଳରେ ଜଣକର ମୃତ୍ୟୁ ହୋଇଥିବା ବେଳେ ପ୍ରସୂତି ମହିଳା ଓ ଭଣଜା ଗୁରୁତର ହୋଇଥିଲେ । ମୃତକ ସମ୍ପର୍କରେ ମାଇଁ ବୋଲି ଜଣାପଡିଛି ।

ତେବେ କ୍ଷତି ପୂରଣ ଦାବୀରେ ଟିଟିଲାଗଡ ଓ କେସିଙ୍ଗାକୁ ସଂଯୋଗ କରିଥିବା ରାସ୍ତାକୁ ଅବରୋଧ କରି ରାସ୍ତାରୋକୋ କରିଛନ୍ତି ସ୍ଥାନୀୟ ଲୋକେ । ପୋଲିସ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝସୁଝା ଜାରି ରଖିଛି । ତେବେ ରାସ୍ତା ବନ୍ଦ ରହିଥିବା କାରଣରୁ ରାସ୍ତାରେ ଗାଡିର ଲମ୍ବା ଲାଇନ ଦେଖିବାକୁ ମିଳିଛି ।

 

Dharitri – Odisha’s No.1 Odia Daily