ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୩ ଯୁବକଙ୍କ ଜୀବନ

କେନ୍ଦ୍ରାପଡ଼ା ଅଫିସ,୩୦ା୧୨: କେନ୍ଦ୍ରାପଡ଼ା ଜିଲା ସଦର ଥାନା ଅନ୍ତର୍ଗତ କଟକ ଚାନ୍ଦବାଲି ରାଜ୍ୟ ରାଜପଥର ଜମଧରଠାରେ ଗୁରୁବାର ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣାରେ ୩ ଯୁବକଙ୍କ ଜୀବନ ଚାଲିଯାଇଛି। ମୃତକଙ୍କୁ ସଦର ଥାନା ପୋଲିସ ଦୁର୍ଘଟଣାସ୍ଥଳରୁ ଆଣି ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ରଖିଛି। ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ରାଜନଗର ବ୍ଲକ ବିଲିକଣ ଗ୍ରାମର ରାଜେନ୍ଦ୍ର ବଳଙ୍କ ଭଉଣୀ ରାଜଲକ୍ଷ୍ମୀଙ୍କ ସୂଚନା ଅନୁଯାୟୀ, ରାଜେନ୍ଦ୍ରଙ୍କ ପରିବାର ଭୁବନେଶ୍ୱରସ୍ଥ ନୟାପଲ୍ଲୀ ଥାନା ସମ୍ମୁଖରେ ରହି ଛେନା ବ୍ୟବସାୟ କରନ୍ତି।

 

ଗତ ସନ୍ଧ୍ୟାରେ ରାଜେନ୍ଦ୍ର ଓ ତାଙ୍କ ସାଙ୍ଗ ଆଳି ଥାନା ଅନ୍ତର୍ଗତ ଜାମୁଦଣ୍ଡା ଗ୍ରାମର ବାବାଜୀ ଚରଣ ବେହୁରାଙ୍କ ପୁଅ ଆଶିଷ ଭୁବନେଶ୍ୱରରୁ ଓଡି ୩୩ ଏ ୮୪୮୨ ନମ୍ବରର ଏକ ଅଟୋରେ ବିଲିକଣ ଯାଉଥିଲେ। ଜମଧର ନିକଟରେ ଅଟୋ ଦୁର୍ଘଟଣା ହୋଇଥିବା ବେଳେ ଏହି ଅଟୋରେ ଥିବା ରାଜେନ୍ଦ୍ର, ଆଶିଷ ଓ ଅଟୋ ଡ୍ରାଇଭର ଖୋର୍ଦ୍ଦା ଜିଲା ଜଟଣୀ ଥାନା ନିରଞ୍ଜନପୁର ଗ୍ରାମର ଗଙ୍ଗାଧର ସୁନ୍ଦରାୟଙ୍କ ପୁଅ ହେମନ୍ତଙ୍କ ମୃତ୍ୟୁ ହୋଇଛି। ଏ ସମ୍ପର୍କରେ ସଦର ଥାନା ଏସ୍‌ଆଇ ତଥା ତଦନ୍ତ ଅଧିକାରୀ ପ୍ରଭୁପ୍ରସାଦ ସାହାଣୀ କହିଛନ୍ତି, ଗୁରୁବାର ରାତି ପ୍ରାୟ ୩ଟାରେ ପାଟ୍ରୋଲିଂ ଗାଡ଼ି ଏହି ଦୁର୍ଘଟଣାସ୍ଥଳରେ ରହି ୩ ଜଣଙ୍କର ମୃତଦେହ ଉଦ୍ଧାର କରିଥିଲା। ଅଟୋକୁ ପୋଲିସ ହେପାଜତକୁ ନେଇଛି। ଏନେଇ ଅପମୃତ୍ୟୁ ମାମଲା ରୁଜୁ ସହ ଘଟଣା ସମ୍ପର୍କରେ ପ୍ରାଥମିକ ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଦୁର୍ଘଟଣା ଘଟାଇଥିବା ଗାଡ଼ି ଏଠାରୁ ପଳାଇ ଯାଇଥିବା ଅନୁମାନ କରାଯାଉଛି।