ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା ଦେଖିବାକୁ ମିଳୁଛି। ବିଶେଷ କରି ନଦୀପାର ହୋଇ ଛାତ୍ରୀଛାତ୍ରମାନେ ଉଚ୍ଚ ବିଦ୍ୟାଳୟକୁ ପଢିବା ପାଇଁ ଯିବାଆସିବା କରୁଥିବା ଦେଖିବାକୁ ମିଳୁଛି। ବର୍ଷା, ଝଡ଼ ତୋଫାନ ବେଳେ ଯାତ୍ରୀ ହେଉକି ଛାତ୍ରୀଛାତ୍ରମାନେ ବିପଦପୂର୍ଣ୍ଣ ଘାଟପାର ହେଉଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି ।
ଅପରପକ୍ଷରେ ପୂର୍ବ ସରକାରଙ୍କ ସମୟରେ ଏହି ଜମ୍ବୁ ପଞ୍ଚାୟତ ସଂଲଗ୍ନ ଗୋବରୀ ନଦୀ ଉପରେ ଏକ ସେତୁ ନିର୍ମାଣ ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ଶହେ କୋଟି ଟଙ୍କା ବ୍ୟୟରେ ୨୦୧୬ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଯୋଜନା ପ୍ରସ୍ତୁତ କରିଥିଲେ। ସେଥିପାଇଁ ପ୍ରାଥମିକ ସର୍ଭେ ଅନୁସାରେ ପଦକ୍ଷେପ ଗ୍ରହଣ କରିଥିଲେ। ହେଲେ ସରକାର ବଦଳିବା ପରେ ଯୋଜନା ଫାଇଲରେ ରହିଗଲା ବୋଲି କୁହାଯାଉଛି। ଏହି ଗୋବରୀ ନଦୀ ସମୁଦ୍ର ନିକଟରେ ଅବସ୍ଥିତ ଯୋଗୁ ପ୍ରଖର ଗଭୀର ଅନ୍ତଃସ୍ରୋତ ପ୍ରବାହିତ ହୋଇଥାଏ। ଏହି ସେତୁ ନିର୍ମାଣ ହେଲେ ଜମ୍ବୁ ପଞ୍ଚାୟତର ୧୦ ହଜାର ଜନସାଧାରଣଙ୍କ ମେଡିକାଲ, ତହସିଲ ଓ ଜିଲା ଆଦି ସ୍ଥାନକୁ ଗମନାଗମନ ସୁବିଧା ହେବ ବୋଲି କୁହାଯାଉଛି।