ବାର୍ଡ ଫ୍ଲୁ ଆଶଙ୍କା: ଭିତରକନିକାରୁ ୧୮୦ ନମୁନା ସଂଗ୍ରହ

ରାଜନଗର,୧୨ା୧୧(ଡି.ଏନ୍‌.ଏ.): ଭିତରକନିକା ଜାତୀୟ ଉଦ୍ୟାନରେ ଦେଶୀୟ ପକ୍ଷୀ ଭିଡ଼ ଜମାଇଥିବା ବେଳେ ବିଦେଶାଗତ ପକ୍ଷୀଙ୍କ ଆସିବା ଆରମ୍ଭ ହୋଇଛି। ବିଦେଶାଗତ ପକ୍ଷୀ ଆସିବା ଆରମ୍ଭ କରିଥିବା ବେଳେ ବାର୍ଡ ଫ୍ଲୁ ନେଇ ପ୍ରଶାସନ ଆଶଙ୍କା ପ୍ରକାଶ କରି ସତର୍କ ଦୃଷ୍ଟି ରଖିଛି। ବିଦେଶାଗତ ପକ୍ଷୀ ଆସିବା ପରେ ବାର୍ଡ ଫ୍ଲୁ ହୋଇଛି ନା ନାହିଁ ଜାଣିବା ପାଇଁ ଗୁରୁବାର ଭିତରକନିକା ଜାତୀୟ ଉଦ୍ୟାନ ଓ ଆଖପାଖ ଗାଁରୁ ୧୮୦ ନମୁନା ସଂଗ୍ରହ କରାଯାଇଛି। ବ୍ଲକ ଭେଟେରିନାରି ଅଫିସର କିଶୋର କୁମାର ସାହୁ, ଅତିରିକ୍ତ ପଶୁ ଚିକିତ୍ସା ଅଧିକାରୀ ଦେବୀ ପ୍ରସାଦ କୁଣ୍ଡ, ପ୍ରକାଶ ଚନ୍ଦ୍ର ଜେନା ପ୍ରମୁଖ ଭିତରକନିକା ଜାତୀୟ ଉଦ୍ୟାନର ମଠଆଡିଆ ଓ ରଣଭଞ୍ଜଡିଆ ଅଞ୍ଚଳରୁ ୪୦ଟି ପକ୍ଷୀଙ୍କ ମଳ ନମୁନା ସଂଗ୍ରହ କରିଥିବା ବେଳେ ସେମାନେ ପାଣି ପିଉଥିବା ଜଳାଶୟରୁ ୧୪ଟି ନମୁନା ସଂଗ୍ରହ କରାଯାଇଛି। ସେହିପରି ଭିତରକନିକା ଜାତୀୟ ଉଦ୍ୟାନକୁ ଲାଗିଥିବା ତ୍ରିଲୋଚନପୁର, ବରାଡିଆ, ଡାଙ୍ଗମାଳ, ଖମାରସାହି, ରଗଡ଼ାପାଟିଆ ଗଁାରୁ ୪୨ଟି କୁକୁଡ଼ାଙ୍କ ମଳ ନମୁନା, ୪୨ କୁକୁଡାଙ୍କ ମଳଦ୍ୱାରର ଲାଳ ନମୁନା ଓ ୪୨ କୁକୁଡାଙ୍କ ତଣ୍ଟିର ସ୍ବାବ ସଂଗ୍ରହ କରାଯାଇଛି। ଏହି ୧୮୦ ନମୁନା ଭୁବନେଶ୍ୱର ଫୁଲନଖରାସ୍ଥିତ ଆନିମଲ ଡିଜିଜ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟକୁ ପଠାଯାଇଛି। ସେଠାରୁ ଭୋପାଳସ୍ଥିତ ଫରେନ୍‌ସିକ ଲାବରେଟୋରିକୁ ପଠାଯିବ। ୭ ଦିନ ମଧ୍ୟରେ ରିପୋର୍ଟ ଆସିବା ପରେ ଭିତରକନିକା ଅଞ୍ଚଳରେ ବାର୍ଡ ଫ୍ଲୁ ହୋଇଛି କି ନାହିଁ ସ୍ପଷ୍ଟ ହେବ ବୋଲି ଜଣାପଡିଛି।