ବଢୁଛି ମାମଲା, ପୋଲିସ କର୍ମଚାରୀ ଅଭାବ

ପଟ୍ଟାମୁଣ୍ଡାଇ,୧୧ା୧ (ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଜବେଷ୍ଟସ ଘରେ ଚାଲିଛି। ଥାନାରେ ଦିନକୁ ଦିନ ମାମଲା ବଢି ଚାଲିଛି। ଏଥିସହ ଆପରାଧିକ କାର୍ଯ୍ୟକଳାପ ମଧ୍ୟ ବୃଦ୍ଧି ପାଉଛି। ୨୦୧୮ ନଭେମ୍ବରରେ ଏହା ଆଦର୍ଶ ଥାନାର ମାନ୍ୟତା ପାଇଥିଲା। ପରେ ଆବଶ୍ୟକ ପୋଲିସ କର୍ମଚାରୀ ନିଯୁକ୍ତି ପାଇନାହାନ୍ତି। ବଢି ଚାଲିଥିବା ମାମଲାର ତଦନ୍ତ ଓ ତାହାର ଆନୁଷଙ୍ଗିକ କାଗଜପତ୍ର ପ୍ରସ୍ତୁତ କରିବାକୁ ପୋଲିସ କର୍ମଚାରୀଙ୍କ ଅଭାବ ଦେଖାଦେଇଛି। ଲୋକମାନଙ୍କ ପକ୍ଷରୁ ଏତଲା ହେଉଥିବା ବେଳେ ଥାନାରେ ଏହା ମାସ ମାସ ଧରି ପଡି ରହୁଛି। ଫଳରେ ସ୍ଥାନୀୟ ଅଞ୍ଚଳ ଅପରାଧ ପ୍ରବଣ ହୋଇଉଠୁଛି। ଆଦର୍ଶ ଥାନାରେ ୨ଜଣ ଇନ୍ସପେକ୍ଟର, ୫ଜଣ ସବଇନ୍ସପେକ୍ଟର, ୧୦ଜଣ ଏଏସ୍‌ଆଇ, ୩୪ ଜଣ ହାବିଲଦାର ଓ କନଷ୍ଟେବଳ ଏବଂ ୪୨ଜଣ ହୋମଗାର୍ଡ ରହିବା କଥା। ଏହି ଥାନା ପାଇଁ ବିଭିନ୍ନ ମାମଲାର ତଦନ୍ତ, ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବାକୁ ୨ଟି ଭ୍ୟାନ୍‌ ଓ ୩୦ଟି ବାଇକ୍‌ ଆବଶ୍ୟକ। ମାତ୍ର ଏବେ ଜଣେ ଇନ୍ସପେକ୍ଟର, ୪ଜଣ ସବଇନ୍ସପେକ୍ଟର, ୪ଜଣ ଏଏସ୍‌ଆଇ, ଜଣେ ହାବିଲଦାର, ୧୯ ଜଣ କନଷ୍ଟେବଳ, ୩୩ ଜଣ ହୋମଗାର୍ଡ, ୨ଟି ଭ୍ୟାନ୍‌ ଓ ୨ ଡ୍ରାଇଭର୍‌ ଅଛନ୍ତି। ମାତ୍ର ୨ଟି ବାଇକ୍‌ ରହିଛି। ଫଳରେ ବିଭିନ୍ନ ମାମଲା ଓ ଘଟଣାର ପୋଲିସ ଆଶୁ ତଦନ୍ତ କରିବାରେ ବିଳମ୍ବ ଘଟୁଛି। ଅନ୍ୟପକ୍ଷରେ ବ୍ରିଟିଶ୍‌ ଅମଳରେ ୧୯୧୭ରେ ସ୍ଥାପିତ ପଟ୍ଟାମୁଣ୍ଡାଇ ଥାନାର କଳେବର ଏ ପର୍ଯ୍ୟନ୍ତ ପରିବର୍ତ୍ତନ ହୋଇନାହିଁ। ଏବେ ବି ଥାନା ଆଜବେଷ୍ଟସ୍‌ ଘରେ ଚାଲିଛି। ବର୍ଷା ହେଲେ ସେଥିରୁ ପାଣି ଗଳୁଛି। ପୋଲିସ କର୍ମଚାରୀ ବସିବାକୁ ସ୍ଥାନ ଏବଂ ରହିବାକୁ କ୍ୱାର୍ଟର୍ସ ନାହିଁ। ଅଧିକାଂଶ କର୍ମଚାରୀ ଥାନା ବାହାରେ ଭଡା ଘର ନେଇ ରହୁଛନ୍ତି। ଏହି ଆଦର୍ଶ ଥାନା ପାଇଁ ଆବଶ୍ୟକ ପୋଲିସ୍‌ କର୍ମଚାରୀ ଯୋଗାଇ ଦେବା, ପକ୍କା ଗୃହରେ ପରିଣତ କରିବା, କର୍ମଚାରୀଙ୍କ ରହିବାକୁ କ୍ୱାର୍ଟର୍ସ ନିର୍ମାଣ କରିବା ଜରୁରୀ ହୋଇପଡିଛି। ଅପରପକ୍ଷରେ ନୂତନ ଥାନା ନିର୍ମାଣ ପାଇଁ ରାଜସ୍ବ ବିଭାଗ ଅଧୀନରେ ଥିବା ଜମି ଗୃହ ବିଭାଗକୁ ହସ୍ତାନ୍ତର କରାଯାଇଛି। ହେଲେ ଉକ୍ତ ସ୍ଥାନରେ ଏ ପର୍ଯ୍ୟନ୍ତ ମାଟି ଝୁଡିଏ ପଡିପାରିଲା ନାହିଁ। ଅନ୍ୟପକ୍ଷରେ ଥାନା ଅଞ୍ଚଳ ବଡ ହୋଇଥିବା ବେଳେ ଗ୍ରାମାଞ୍ଚଳ ଥାନା ପ୍ରତିଷ୍ଠା ପାଇଁ ବହୁ ଦିନରୁ ଦାବି ହୋଇଆସୁଛି। ପୋଲିସ କର୍ମଚାରୀ ଅଭାବ ଯୋଗୁ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡିବାରେ ଲାଗିଛି। ଏ ଦିଗରେ ରାଜ୍ୟ ଘରୋଇ ବିଭାଗ ତୁରନ୍ତ ଦୃଷ୍ଟି ଦେଇ ଅଭାବ ଓ ଅସୁବିଧାର ସମାଧାନ ପାଇଁ ସାଧାରଣରେ ଦାବି ହେଉଛି।