ଋଷିକୁଲ୍ୟାର କରାଳ ରୂପ: ବାହ୍ୟଜଗତରୁ ବିଚ୍ଛିନ୍ନ ପୁରୁଷୋତ୍ତମପୁର, ବୁଡ଼ିଲା ସରକାରୀ କାର୍ଯ୍ୟାଳୟ-ବଜାରଘାଟ, ରିଲିଫ୍ ଅପେକ୍ଷାରେ…

ପୁରୁଷୋତ୍ତମପୁର, ଅକ୍ଟୋବର ୨୯ (ସବିତା ମିଶ୍ର): ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକରେ ବନ୍ୟା ଏକ ଭୟବହ ରୂପ ନେଇଛି। ତିନି ଦିନର ଲଗାଣ ବର୍ଷା ଏବଂ ଋଷିକୁଲ୍ୟା ନଦୀର କୁଳଘାଇ ଭାଙ୍ଗି ସହର ଓ ଗାଁଗୁଡ଼ିକରେ ବନ୍ୟାଜଳ ପ୍ରବେଶ କରିବା ଫଳରେ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଛି। ସହରର ବିଭିନ୍ନ ଅଞ୍ଚଳରେ ପ୍ରାୟ ୫ ଫୁଟ୍‌ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଏହା ବାହ୍ୟଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି।

ଗୁରୁବାର ସକାଳ ପ୍ରାୟ ୧୧ଟା ସମୟରେ ହଠାତ୍ ଋଷିକୁଲ୍ୟା ନଦୀର ବନ୍ୟାଜଳ ସହର ଭାତରକୁ ମାଡ଼ିଆସିଥିଲା। ଫଳରେ ଲୋକମାନେ ନିଜର ଆସବାବପତ୍ର ଓ ଦୋକାନର ସାମଗ୍ରୀ ସୁରକ୍ଷିତ ସ୍ଥାନକୁ ନେବାକୁ ସୁଯୋଗ ପାଇନଥିଲେ। ବଡ଼ବଜାରର ଅନେକ ଦୋକାନ ଏବଂ ଘରେ ପାଣି ପଶିବାରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଯାଇଛି। କେବଳ ସାଧାରଣ ଲୋକଙ୍କ ଘରଦ୍ୱାର ନୁହେଁ, ବରଂ ପୁରୁଷୋତ୍ତମପୁର ତହସିଲ କାର୍ଯ୍ୟାଳୟ, ଥାନା, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ବ୍ଲକ କାର୍ଯ୍ୟାଳୟ ପରିସର ମଧ୍ୟ ଜଳମଗ୍ନ ହୋଇଯାଇଛି।

ଋଷିକୁଲ୍ୟା ନଦୀର ସତର୍କ ସଂକେତ ୧୫.୮୩୫ ମିଟର ଏବଂ ବିପଦ ସଂକେତ ୧୬.୮୩୫ ମିଟର ଥିବାବେଳେ ବର୍ତ୍ତମାନ ଜଳସ୍ତର ୧୯.୨୦ ମିଟରରେ ପହଞ୍ଚିଛି। ନଦୀର ଜଳସ୍ତର ବିପଦ ସଂକେତଠାରୁ ବହୁ ଊର୍ଦ୍ଧ୍ୱରେ ପ୍ରବାହିତ ହେଉଥିବାରୁ ପରିସ୍ଥିତି ଅଧିକ ଚିନ୍ତାଜନକ ହୋଇପଡ଼ିଛି। ହାଣ୍ଡିଘର, ଆଛୁଲି, ପ୍ରତାପୁର, ପାଣ୍ଡିଆ ଓ ବଡ଼ବରଗାଁ ଆଦି ଅଞ୍ଚଳର ହଜାର ହଜାର ଲୋକ ବର୍ତ୍ତମାନ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି।

ପ୍ରଶାସନ ପକ୍ଷରୁ ଦମକଳ ବାହିନୀ ଓ ଓଡ୍ରାଫ୍ ଟିମ୍ ମୁତାୟନ କରାଯାଇ ବୋଟ୍‌ ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତେବେ ବହୁ ଅଞ୍ଚଳରେ ରିଲିଫ୍ ଏବଂ ଶୁଖିଲା ଖାଦ୍ୟ ପହଞ୍ଚି ନ ଥିବାରୁ ଜଳବନ୍ଦୀ ପରିବାର, ବିଶେଷକରି କୁନି ଶିଶୁମାନେ ଖାଦ୍ୟପେୟ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଭୟଭୀତ ଅବସ୍ଥାରେ ଅଞ୍ଚଳବାସୀ ଆତଙ୍କିତ ହୋଇ ଦିନ କାଟୁଛନ୍ତି।

Dharitri – Odisha’s No.1 Odia Daily

Share