ଅକ୍ୱାନ ଜନିତ ବର୍ଷାରେ ଉଜୁଡ଼ିଲା ପାଚିଲା ଧାନ, ଚିନ୍ତାରେ ଚାଷୀକୁଳ

ଦିଗପହଣ୍ଡି,୨୨ା୧୧(ଅଶେଷ ନାଥ ମିଶ୍ର): ସାମୁଦ୍ରିକ ବାତ୍ୟା ‘ଅକ୍ୱାନ’ ଜନିତ ଲଗାଣ ବର୍ଷା ଯୋଗୁ ଦିଗପହଣ୍ଡି ସହର ସମେତ ବିଭିନ୍ନ ଗ୍ରାମାଞ୍ଚଳର ଶହଶହ ଏକର ଖାଲୁଆ ଚାଷଜମିରେ ପାଚିଲା ଧାନଗଛ ପାଣିରେ ବୁଡ଼ି ରହିଥିବା ଦେଖିବାକୁ ମିଳିଛି। ଅନେକ ଜମିର ପାଚିଲା ଧାନଗଛରେ ପାଣି ପ୍ରବାହିତ ହେବାରୁ ସେଗୁଡ଼ିକ ନଷ୍ଟ ହୋଇଯାଇଛି। ଏନେଇ ସମ୍ପୃକ୍ତ ଚାଷୀକୁଳ ଚିନ୍ତିତ ହୋଇ ପଡିଛନ୍ତି। ଦିଗପହଣ୍ଡି ବ୍ଲକ ୨୫ ପଞ୍ଚାୟତ ଏବଂ ଗୋଟିଏ ଏନ୍‌ଏସିର ମୋଟ୍‌ ୨୫ ହଜାର ୫୪୦ ହେକ୍ଟର ଚାଷଜମି ମଧ୍ୟରୁ ୧୪ ହଜାର ୮ ଶହ ହେକ୍ଟର ଚାଷଜମିରେ ଚଳିତ ବର୍ଷ ଖରିଫ ଧାନ ଚାଷ କରାଯାଇଥିଲା। ଗତ ‘ଅର୍ଣ୍ଣବ’ ବାତ୍ୟା ଜନିତ ପ୍ରବଳ ବର୍ଷା ଯୋଗୁ ଚାଷୀଙ୍କ ସମସ୍ତ ପନିପରିବା ଫସଲ ନଷ୍ଟ ହୋଇଥିବା ବେଳେ ପାୟ ୩ ହଜାର ହେକ୍ଟର ଜମିରେ ଧାନ ଫସଲ ନଷ୍ଟ ହୋଇଛି ବୋଲି କୃଷି ବିଭାଗ ପକ୍ଷରୁ ସର୍ଭେ ରିପୋର୍ଟରେ ଦର୍ଶାଯାଇଥିବା ବେଳେ ଯାହା କିଛି ଧାନ ଫସଲ ଅମଳ ପାଇଁ ରହିଥିଲା ତାହା ପୁଣି ‘ଅକ୍ୱାନ’ ବାତ୍ୟା ଜନିତ ବର୍ଷାରେ ଯଥେଷ୍ଟ ପରିମାଣର ନଷ୍ଟ ହେବ ବୋଲି ଆକଳନ କରାଯାଉଛି। ଏନେଇ ଦିଗପହଣ୍ଡି କୃଷିବିଭାଗ କ୍ଷେତ୍ର କର୍ମଚାରୀ ବିଭିନ୍ନ ଗ୍ରାମକୁ ଗସ୍ତ କରି କ୍ଷୟକ୍ଷତି ରିପୋର୍ଟ ସଂଗ୍ରହ କାର୍ଯ୍ୟ ଚଳାଇଥିବା ବ୍ଲକ କୃଷି ଅଧିକାରୀ କଲ୍ୟାଣୀ ରାଉତ କହିଛନ୍ତି। ଛୋଟ, ନାମମାତ୍ର ଏବଂ ମଧ୍ୟମ ଚାଷୀମାନଙ୍କର ଅବସ୍ଥା ତଳି ତଳାନ୍ତ ହୋଇଯାଇଛି। ଚଳିତବର୍ଷ ଧାନ ଉତ୍ପାଦନ ହାର ଯଥେଷ୍ଟ ପରିମାଣର କମିଯିବା ଆଶଙ୍କା ରହିଛି। ବର୍ଷା ପ୍ରଭାବରେ ତୁଳା, ମକା,ଆଖୁ ସମେତ ପନିପରିବା ଚାଷୀ ଯଥେଷ୍ଟ କ୍ଷତିଗସ୍ତ ହୋଇଥିବା କେତେକ କୃଷି ବିଜ୍ଞାନୀ ମତପୋଷଣ କରିଛନ୍ତି। ୧୬୦ ହେକ୍ଟର ଜମିରେ ଚଳିତ ବର୍ଷ କପା ଚାଷ କରାଯାଇଥିବା ବେଳେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ କପା ଅମଳ ସରିଥିବା ବେଳେ ତୃତୀୟ ପର୍ଯ୍ୟାୟରେ ଚାଷୀ କରିଥିବା କପା ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।

ଅପରପକ୍ଷରେ ଧାନ ଫସଲର ସୁରକ୍ଷା ପାଇଁ ଚାଷୀ ପ୍ରାଣପଣେ ଉଦ୍ୟମ ଚଳାଇଛି। ଅନେକ ଗ୍ରାମାଞ୍ଚଳରେ ଚାଷୀଙ୍କ ଧାନଗଛ ଜମିରେ ଲୋଟି ପଡ଼ିଥିବା ଦେଖିବାକୁ ମିଳିଛି। ସେଗୁଡ଼ିକୁ ଚାଷୀ ସଂଗ୍ରହ କରି ଯତ୍‌ କିଞ୍ଚିତ୍ତ୍‌ ଅମଳ ପାଇଁ ଖରାରେ ଶୁଖାଇବାରେ ଲାଗିଛନ୍ତି। ଅନେକ ଚାଷୀ ପାଣିରେ ବୁଡ଼ି ରହିଥିବା ଧାନ ଫସଲକୁ ଉଦ୍ଧାର କରିବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ତାହା ସମ୍ଭବ ହୋଇପାରିନାହିଁ। ଚାଷୀକୁଳ ଆର୍ଥିକ ଅନଟନ ଓ ମାନସିକ ଚିନ୍ତାରେ ଥିବାରୁ କୃଷି ବିଭାଗ ପକ୍ଷରୁ ଏହି କ୍ଷୟକ୍ଷତିର ସଠିକ୍‌ ଆକଳନ କରାଯାଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ସତନ୍ତ୍ର ପ୍ୟାକେଜ ଘୋଷଣା କରାଯିବାକୁ ଚାଷୀ ମହଲରେ ଦାବି ହୋଇଛି।

Dharitri – Odisha’s No.1 Odia Daily

Share