ଭଦ୍ରକରୁ ବରଗଡ଼କୁ ଧାନ ଚାଲାଣ : ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ

ବରଗଡ଼ ଅଫିସ୍‌/ଅତାବିରା,୨।୧: ଗତ କିଛିଦିନ ତଳେ ଭଦ୍ରକରୁ ଆସୁଥିବା ଏକ ଧାନ ବୋଝେଇ ଟ୍ରକ୍‌ ବରଗଡ଼ ସହର ଉପକଣ୍ଠ ହଳଦୀପାଲି ଛକରେ ଧରାପଡ଼ିଥିଲା। ଅନୁରୂପ ଭାବେ ଗୁରୁବାର ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ରେଙ୍ଗାଲି କ୍ୟାମ୍ପରେ ଭଦ୍ରକରୁ ଆସିଥିବା ଏକ ଧାନ ବୋଝେଇ ଟ୍ରକ ଧରାପଡ଼ିଛି । ଘଟଣାର କାର୍ଯ୍ୟାନୁଷ୍ଠାନ ପାଇଁ ଶୁକ୍ରବାର ଜିଲାପାଳଙ୍କୁ ଅବଗତ କରାଯାଇଛି ବୋଲି ଅତାବିରା ଯୋଗାଣ ନିରୀକ୍ଷକ ବିଶ୍ୱରଞ୍ଜନ ସାହୁ କହିଛନ୍ତି ।
ଗତ ୩୧ତାରିଖରେ ଏକ ଧାନ ବୋଝେଇ ଟ୍ରକ୍‌ (ନଂ.ଓଡ଼ି୨୫ଜେ/୪୭୧୯) ଭଦ୍ରକରୁ ଅତାବିରା ଅଞ୍ଚଳକୁ ଆସୁଥିଲା ବେଳେ ରେଙ୍ଗାଲିକ୍ୟାମ୍ପ-ଭୁର୍ଷିପାଲି ରାସ୍ତାରେ ସ୍ଥାନୀୟ ଲୋକଙ୍କ ହାତରେ ଧରାପଡ଼ିଥିଲା। ସୂଚନା ପାଇ ମୁଖ୍ୟ ଜିଲା ଯୋଗାଣ ଅଧିକାରୀ ରଜନୀକାନ୍ତଙ୍କ ନିର୍ଦ୍ଦେଶ କ୍ରମେ ଯୋଗାଣ ବିଭାଗର ଏକ ସ୍କ୍ବାଡ୍‌ ପହଞ୍ଚି ଯାଞ୍ଚ କରିଥିଲେ । ଯାଞ୍ଚ ବେଳେ ଟ୍ରକ୍‌ରେ ୪୬୫ ପ୍ୟାକେଟ୍‌ ଧାନ (୨୬୬.୮୬ କୁଇଣ୍ଟାଲ) ଥିଲା। ହେଲେ ଧାନବିକ୍ରି ନେଇ ଆବଶ୍ୟକ କାଗଜାତ୍‌ ନ ଥିଲା । ଫଳରେ ଯୋଗାଣ ବିଭାଗର ଅଧିକାରୀମାନେ ସମ୍ପୃକ୍ତ ଟ୍ରକ୍‌ ଜବତ କରି ସ୍ଥାନୀୟ ଏକ ରାଇସ୍‌ ମିଲ୍‌ ଜିମା ଦେଇଥିଲେ ।