ଆରଆଇଙ୍କୁ ଗୋଡ଼ାଇ ପିଟିଲେ ପଥର ମାଫିଆ

ନୀଳଗିରି,୨୫ା୭(ସ୍ବ.ପ୍ର.): ବାଲେଶ୍ୱର ଜିଲା ନୀଳଗିରି ତହସିଲ ଅଧୀନ ବାଘମରା ଗାଁରେ ସୋମବାର ସଜନାଗଡ଼ ଆର୍‌ଆଇ ସନ୍ତୋଷ କୁମାର ବେହେରାଙ୍କୁ ପଥର ମାଫିଆମାନେ ଗୋଡ଼ାଇ ଗୋଡ଼ାଇ ମାଡ଼ ମାରିଛନ୍ତି। ଆକ୍ରମଣରେ ଆର୍‌ଆଇ ବେହେରା ଲହୁଲୁହାଣ ହୋଇଛନ୍ତି। ଏହାସହ ତାଙ୍କ ମୋବାଇଲ ଓ ପର୍ସ ଛଡାଇ ନିଆଯାଇଥିବା ନୀଳଗିରି ଥାନାରେ ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ ୨/୩ ଦିନ ପୂର୍ବରୁ ବାଘମରା ନିକଟରେ ବେଆଇନ ବିସ୍ଫୋରଣ ଚାଲିଥିବା ନେଇ ନୀଳଗିରି ତହସିଲଦାର ଅଶେଷ କୁମାର ନାୟକ ଖବର ପାଇଥିଲେ। ସେ ଏହାର ତଦନ୍ତ ପାଇଁ ସଜନାଗଡ଼ ଆରଆଇ ସନ୍ତୋଷ କୁମାର ବେହେରାଙ୍କୁ ପଠାଇଥିଲେ। ବେଆଇନ ଭାବେ ବିସ୍ଫୋରଣ କରି ପଥର ଚୋରା ଚାଲାଣ କରୁଥିବା ଜଣେ ବ୍ୟକ୍ତି ଓ ତାଙ୍କ ପୁଅ ଆରଆଇ ବେହେରାଙ୍କୁ ଦେଖି ଅତର୍କିତ ଭାବେ ମରଣାନ୍ତକ ଆକ୍ରମଣ କରିବା ସହ ଲୁହାଛଡ଼ରେ ଗୋଡ଼ାଇ ଗୋଡ଼ାଇ ନିର୍ଧୁମ ପିଟିଥିଲେ। ଏହା ସହ ପ୍ରମାଣ ନଷ୍ଟ କରିବା ପାଇଁ ଆର୍‌ଆଇଙ୍କ ମୋବାଇଲ ଭାଙ୍ଗିବା ସହ ତାଙ୍କ ପର୍ସ ଓ ସେଥିରେ ଥିବା ୪୦୦୦ ଟଙ୍କା ମଧ୍ୟ ନେଇଯାଇଥିବା ଆର୍‌ଆଇ ଅଭିଯୋଗରେ ଦର୍ଶାଇଛନ୍ତି। ତହସିଲଦାର ଘଟଣାକୁ ଗୁରୁତର ସହ ନେଇଛନ୍ତି।
ଉଲ୍ଲେଖଯୋଗ୍ୟ, ସ୍ବର୍ଣ୍ଣଚୂଡ ପାହାଡର ମିତ୍ରପୁର, ଚଲନାପାଳ ବେଗୁନିଆ, ମହିଁଷାପଟା ଏବଂ ବାଘମରା ଅଞ୍ଚଳରେ ଚୋରା ପଥର ମାଫିଆଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଅନେକ ସମୟରେ ତଦନ୍ତ କରିବାକୁ ଯାଉଥିବା ପ୍ରଶାସନିକ ଅଧିକାରୀମାନେ ଆକ୍ରୋଶର ଶିକାର ହେଉଛନ୍ତି।