ସୁନ୍ଦରଗଡ/ କୁଆଁରମୁଣ୍ଡା,୨୧।୭(ଜୟ ନାରାୟଣ ମେଣ୍ଡୁଳି/ ମହେନ୍ଦ୍ର କୁମାର ସାହୁ ): ସୁନ୍ଦରଗଡ ଜିଲା କୁଆରମୁଣ୍ଡା ତହସିଲ ଅଧୀନ କଲୋସିହିରା ସର୍କଲର ରାଜସ୍ୱ ନିରୀକ୍ଷକ ଲାଞ୍ଚ ନେଉଥିବା ବେଳେ ମଙ୍ଗଳବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି।
ଭିଜିଲାନ୍ସ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କୁଆରମୁଣ୍ଡା ତହସିଲ ଅଧୀନ କଲୋସିହିରା ସର୍କଲର ରାଜସ୍ୱ ନିରୀକ୍ଷକ (ଆର୍.ଆଇ.) ଅନୀତା ଜେନାଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ସେ ଜଣେ ଆବେଦନକାରୀଙ୍କ ପୈତୃକ ଜମିର ସୀମା ନିର୍ଦ୍ଧାରଣ (ଡିମାର୍କେସନ) ରିପୋର୍ଟ ପ୍ରଦାନ କରିବା ପାଇଁ ୪,୦୦୦ ଟଙ୍କା ଲାଞ୍ଚ ଦାବି କରି ନେଉଥିବା ବେଳେ ଧରାପଡ଼ିଛନ୍ତି।
ଅଭିଯୋଗକାରୀ କିଛି ମାସ ପୂର୍ବରୁ ତାଙ୍କ ପୈତୃକ ଜମିର ସୀମା ନିର୍ଦ୍ଧାରଣ ରିପୋର୍ଟ ପାଇଁ ଆବେଦନ କରିଥିଲେ। ବାରମ୍ବାର ଅନୁରୋଧ ସତ୍ତ୍ୱେ ଜେନା ବିନା କୌଣସି କାରଣରେ ରିପୋର୍ଟ ପ୍ରଦାନରେ ବିଳମ୍ବ କରୁଥିଲେ। ପରେ ରିପୋର୍ଟ ଜାରି କରିବା ପାଇଁ ସେ ୪,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ।
ଏଥିରେ ଅତିଷ୍ଠ ହୋଇ ଅଭିଯୋଗକାରୀ ଓଡ଼ିଶା ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଅଭିଯୋଗର ଯାଞ୍ଚ ପରେ ମଙ୍ଗଳବାର ଭିଜିଲାନ୍ସର ଏକ ଟିମ୍ ଯୋଜନା ମୁତାବକ ରାଜସ୍ୱ ନିରୀକ୍ଷକ ଜେନା ୪,୦୦୦ ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ବେଳେ ଜେନାଙ୍କୁ କାବୁ କରିଥିଲା। ତାଙ୍କ ନିକଟରୁ ସମ୍ପୂର୍ଣ୍ଣ ୪,୦୦୦ ଟଙ୍କାର ଲାଞ୍ଚ ରାଶି ଜବତ କରାଯାଇଛି। ଏହି ଟ୍ରାପ୍ ପରେ ଜେନାଙ୍କ ସହ ସମ୍ପୃକ୍ତ ତିନୋଟି ସ୍ଥାନରେ ଆୟବହିର୍ଭୂତ ସମ୍ପତ୍ତି (ଡିଏ) ସମ୍ପର୍କିତ ତଲାସି ଜାରି ରହିଛି।
ଏହି ଘଟଣାରେ ରାଉରକେଲା ଭିଜିଲାନ୍ସ ଥାନା ମାମଲା ନଂ–୦୫, ତାରିଖ ୨୦.୦୭.୨୦୨୬, ଦୁର୍ନୀତି ନିବାରଣ (ସଂଶୋଧନ) ଆଇନ, ୨୦୧୮ର ଧାରା–୭ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଅନୀତା ଜେନାଙ୍କ ବିରୋଧରେ ତଦନ୍ତ ଜାରି ରହିଛି।