କୋରାପୁଟ,୧୬।୬(ଅମିତାଭ ବେହେରା): କୋରାପୁଟ ଜିଲାରେ ପୁଣି ଜଣେ ସରକାରୀ କର୍ମଚାରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ବୋରିଗୁମ୍ମା ତହସିଲ ଅଧୀନ କୋସାଗୁଡ଼ା ଆର୍ଆଇ(RI) ସର୍କଲର ରେଭିନ୍ୟୁ ଇନ୍ସପେକ୍ଟର (ଆର୍ଆଇ) ଶୈଳବାଳା ନାୟକଙ୍କୁ ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମଙ୍ଗଳବାର ଓଡ଼ିଶା ଭିଜିଲାନ୍ସ ଧରିଛି। ମତ୍ସ୍ୟ ପୋଖରୀ ଯୋଜନାର ଜଣେ ହିତାଧିକାରୀଙ୍କୁ ଟ୍ରେସ୍ ମ୍ୟାପ୍ ଯୋଗାଇଦେବା ପାଇଁ ସେ ଏହି ଲାଞ୍ଚ ଦାବି କରିଥିବା ଜଣାପଡ଼ିଛି।
ସୂଚନାନୁଯାୟୀ, ମତ୍ସ୍ୟ ବିଭାଗର ମତ୍ସ୍ୟ ପୋଖରୀ ଯୋଜନାରେ ମାଛ ଚାଷ ପାଇଁ ସବ୍ସିଡି ସହାୟତା ଲାଭ କରିବାକୁ ହିତାଧିକାରୀମାନେ ଆବେଦନ କରିଥିଲେ। ଯୋଜନାର ନିୟମ ଅନୁଯାୟୀ ପୋଖରୀ ଥିବା ଜମିର ଟ୍ରେସ୍ ମ୍ୟାପ୍ ଦାଖଲ କରିବା ଆବଶ୍ୟକ ଥିଲା। ତେବେ ଟ୍ରେସ୍ ମ୍ୟାପ୍ ପ୍ରଦାନ କରିବା ବଦଳରେ ଆର୍ଆଇ ଶୈଳବାଳା ନାୟକ ସମ୍ପୃକ୍ତ ହିତାଧିକାରୀଙ୍କଠାରୁ ୪ ହଜାର ଟଙ୍କା ଲାଞ୍ଚ ମାଗିଥିଲେ।
ଲାଞ୍ଚ ଦେବାକୁ ଅନିଚ୍ଛୁକ ହିତାଧିକାରୀ ଜଣକ ଏନେଇ ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗର ସତ୍ୟାସତ୍ୟ ଯାଞ୍ଚ କରିବା ପରେ ଭିଜିଲାନ୍ସ ଅଧିକାରୀମାନେ ଏକ ସ୍ୱତନ୍ତ୍ର ଫାନ୍ଦ ପ୍ରସ୍ତୁତ କରିଥିଲେ। ପୂର୍ବ ଯୋଜନା ମୁତାବକ ମଙ୍ଗଳବାର ହିତାଧିକାରୀଙ୍କଠାରୁ ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ସମୟରେ ହିଁ ଭିଜିଲାନ୍ସ ଟିମ୍ ଆର୍ଆଇ ଶୈଳବାଳାଙ୍କୁ କାବୁ କରିଥିଲା। ତାଙ୍କ ନିକଟରୁ କେମିକାଲ ବୋଳା ଲାଞ୍ଚ ଟଙ୍କା ଜବତ କରାଯାଇଛି।
ଆର୍ଆଇଙ୍କ ଗିରଫଦାରୀ ପରେ ତାଙ୍କର ଆୟବହିର୍ଭୂତ ସମ୍ପତ୍ତି ଠାବ କରିବା ଉଦ୍ଦେଶ୍ୟରେ ଭିଜିଲାନ୍ସ ପକ୍ଷରୁ ତାଙ୍କ ସହ ସମ୍ପୃକ୍ତ ଦୁଇଟି ଭିନ୍ନ ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି। ଏହି ଘଟଣାକୁ ନେଇ ଜୟପୁର ଭିଜିଲାନ୍ସ ବିଭାଗରେ ମାମଲା ନଂ. ୧୦/୨୦୨୬ ରୁଜୁ କରାଯାଇଛି। କୋରାପୁଟ ଭିଜିଲାନ୍ସ ଥାନାରେ ମଧ୍ୟ ମାମଲା ପଞ୍ଜୀକୃତ ହୋଇଥିବା ବେଳେ ଘଟଣାର ଅଧିକ ତଦନ୍ତ ଚାଲିଥିବା ଜୟପୁର ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି।