ସଂଶୋଧିତ ଗାଇଡ୍‌ଲାଇନ ଜାରି

ଭୁବନେଶ୍ୱର,୧୮ା୭(ବ୍ୟୁରୋ): କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗଞ୍ଜାମ, ଖୋର୍ଦ୍ଧା, କଟକ, ଯାଜପୁର ଜିଲା ସମେତ ରାଉରକେଲା ମହାନଗର ନିଗମକୁ ଜୁଲାଇ ୧୭ ରାତ୍ର ୯ଟାରୁ ୩୧ ତାରିଖ ମଧ୍ୟରାତ୍ର ଯାଏ ଲକ୍‌ଡାଉନ ଘୋଷଣା କରିଛନ୍ତି। ଏହି ସମୟରେ ଦୋକାନ ବଜାର ଓ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିବ। ତେବେ କେତେକ ଅତ୍ୟାବଶ୍ୟକ ସେବା, ସଂସ୍ଥା, ସରକାରୀ କାର୍ଯ୍ୟାଳୟକୁ ଏଥିରୁ ବାଦ୍‌ ଦିଆଯାଇଛି। ଶୁକ୍ରବାର ରାଜ୍ୟ ସରକାର ଏ ନେଇ ଏକ ସଂଶୋଧିତ ଗାଇଡ୍‌ଲାଇନ ଜାରି କରିଛନ୍ତି। ପ୍ରକାଶିତ ଗାଇଡ୍‌ଲାଇନ ଅନୁଯାୟୀ ଟେଲିକମ୍‌, ଇଣ୍ଟରନେଟ୍‌ ସେବା ଯୋଗାଉଥିବା ସଂସ୍ଥାର କର୍ମଚାରୀମାନେ ଲକ୍‌ଡାଉନ ସମୟରେ ପରିଚୟପତ୍ର ଦେଖାଇ ଯାତାୟାତ କରିପାରିବେ। ସେହିପରି ଡାଟା ଓ କଲ୍‌ ସେଣ୍ଟର, ବ୍ୟାଙ୍କ, ବୀମା ଏବଂ ଆର୍ଥିକ ଅନୁଷ୍ଠାନ ୨୫% କର୍ମଚାରୀଙ୍କୁ ନେଇ ଖୋଲାରହିବ। ସିକ୍ୟୁରିଟି ଓ ଏକ୍ସଚେଞ୍ଜ ବୋର୍ଡ ଦ୍ୱାରା ବିଜ୍ଞପିତ କ୍ୟାପିଟାଲ ଓ ଋଣ ସେବା ସଂସ୍ଥା ସର୍ବନିମ୍ନ କର୍ମଚାରୀଙ୍କୁ ନେଇ କାର୍ଯ୍ୟାଳୟ ଖୋଲିବେ। ଭାରତ ସରକାରଙ୍କ କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ(ସିଏଜି) କାର୍ଯ୍ୟାଳୟ ସର୍ବନିମ୍ନ କର୍ମଚାରୀଙ୍କୁ ନେଇ ଖୋଲିପାରିବେ। ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟ ସାଧାରଣ ପ୍ରଶାସନ ବିଭାଗ ବିଜ୍ଞପ୍ତି ଆଧାରରେ ଖୋଲିପାରିବେ। ଜାତିସଂଘ କାର୍ଯ୍ୟାଳୟ ଏବଂ ଖଣି କାର୍ଯ୍ୟ ଚାଲୁରହିବ।
ଫଳ, ମାଛ, ମାଂସ, ଚିକେନ, ଅଣ୍ଡା ବିକ୍ରି କରୁଥିବା ଦୋକାନଗୁଡିକ ମଧ୍ୟ ସକାଳ ୬ରୁ ମଧ୍ୟାହ୍ନ ୧ଟା ଯାଏ ଖୋଲା ରହିବ। ତେବେ ଏହି ଦୋକାନଗୁଡିକ କୋଭିଡ୍‌-୧୯ ଗାଇଡ୍‌ଲାଇନ ପାଳନ କରି ଦୋକାନ ଖୋଲିବେ। ସ୍ଥାନୀୟ ପ୍ରଶାସନିକ କର୍ତ୍ତୃପକ୍ଷ ଆବଶ୍ୟକସ୍ଥଳେ ମାଛ, ମାଂସ ଓ ଅଣ୍ଡା ଦୋକାନକୁ ଅନ୍ୟତ୍ର ସ୍ଥାନାନ୍ତର କରିପାରିବେ। ଲକ୍‌ଡାଉନ ସମୟରେ ଶୀତଳଭଣ୍ଡାର, ଗୋଦାମ ଗୃହ ଏବଂ ପ୍ୟାକେଜ କରୁଥିବା ସଂସ୍ଥା ଖୋଲାରହିବ। ଘରୋଇ ସୁରକ୍ଷା କର୍ମୀମାନଙ୍କୁ ମଧ୍ୟ କାର୍ଯ୍ୟରେ ନିୟୋଜିତ କରାଯାଇପାରିବ। ଅବକାରୀ ବିଭାଗର ଗାଇଡ୍‌ଲାଇନ ଆଧାରରେ ଲକ୍‌ଡାଉନ ସମୟରେ ମଦଦୋକାନଗୁଡିକ ହୋମ୍‌ ଡେଲିଭରି କରିପାରିବେ।