ଖୋର୍ଦ୍ଧା,୯ା୯(ପ୍ରଭାତ ପାଣିଗ୍ରାହୀ): ଅନୁସୂଚିତ ଜନଜାତିଙ୍କ କଲ୍ୟାଣ, ବିକାଶ ଏବଂ ଅଧିକାର ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ନେଇ ଜାତୀୟ ଅନୁସୂଚିତ ଜନଜାତି କମିଶନ ଅଧ୍ୟକ୍ଷ ଅନ୍ତର ସିଂ ଆର୍ଯ୍ୟ ଖୋର୍ଦ୍ଧା ଜିଲା ପ୍ରଶାସନ ସହ ସମୀକ୍ଷା କରିଛନ୍ତି। ଭୁବନେଶ୍ୱରରେ ବୁଧବାର ଆୟୋଜିତ ଏହି ସମୀକ୍ଷା ବୈଠକରେ ଜିଲା ପ୍ରଶାସନର ବରିଷ୍ଠ ଅଧିକାରୀ, ଯୁବଗୋଷ୍ଠୀ, ବନ ସୁରକ୍ଷା ସମିତି ସଦସ୍ୟ ଓ ବନ ଅଧିକାର ହିତାଧିକାରୀମାନେ ଯୋଗଦେଇଥିଲେ। ଅନୁସୂଚିତ ଜନଜାତିଙ୍କ ଜମି ଓ ଜଙ୍ଗଲ ସୁରକ୍ଷା, ବନ ଅଧିକାର, ପାରମ୍ପରିକ ସଂସ୍କୃତି ଓ ଐତିହ୍ୟର ସଂରକ୍ଷଣ ସହ ଜୀବିକା, ସାମାଜିକ ସୁରକ୍ଷା ଓ ବିକାଶମୂଳକ ପଦକ୍ଷେପ ଉପରେ ଆଲୋଚନା ହୋଇଥିଲା। ବିଭିନ୍ନ ସରକାରୀ କଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ ନେଇ ମଧ୍ୟ ଆଲୋଚନା କରାଯାଇଥିଲା। ବିଭିନ୍ନ ସରକାରୀ ଓ ସଂଗଠନରେ କାର୍ଯ୍ୟରତ ଅନୁସୂଚିତ ଜନଜାତି ଅଧିକାରୀ ଓ କର୍ମଚାରୀଙ୍କ ସହ ଅଧ୍ୟକ୍ଷ ଆଲୋଚନା କରିଥିଲେ। ଖୋର୍ଦ୍ଧା ଜିଲାପାଳ ଅମ୍ରିତ ଋତୁରାଜ ଜିଲାରେ ଅନୁସୂଚିତ ଜନଜାତିଙ୍କ କଲ୍ୟାଣ ଓ ବିକାଶ ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ କମିଶନ ଅଧ୍ୟକ୍ଷଙ୍କୁ ଅବଗତ କରାଇଥିଲେ। ଏହି ଅବସରରେ ଆର୍ଯ୍ୟ ଅନୁସୂଚିତ ଜନଜାତି ଛାତ୍ରୀଛାତ୍ର, ଯୁବଗୋଷ୍ଠୀ, ବନ ସୁରକ୍ଷା ସମିତି ସଦସ୍ୟ ଓ ବନ ଅଧିକାର ହିତାଧିକାରୀଙ୍କ ସହ ଆଲୋଚନା କରି ବିଭିନ୍ନ ପଦକ୍ଷେପର ସମୀକ୍ଷା କରିଥିଲେ। ପରେ ସେ ‘ଏକ ପେଡ୍ ମା’ କେ ନାମ୍’ କାର୍ଯ୍ୟକ୍ରମରେ ଯୋଗଦେଇ ଚାରା ରୋପଣ କରିଥିଲେ। ବୈଠକରେ ଭୁବନେଶ୍ୱର ଡିସିପି ଜଗମୋହନ ମୀନା, ଖୋର୍ଦ୍ଧା ଡିଏଫ୍ଓ ଲାଡେ ଗଜାନନ, ଅତିରିକ୍ତ ଜିଲାପାଳ, ଉପଜିଲାପାଳ, ଭୁବନେଶ୍ୱର ବିଏମ୍ସି ଅଧିକାରୀ, ଜିଲା ମଙ୍ଗଳ ଅଧିକାରୀଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ପରେ କ୍ୟାପିଟାଲ ହସ୍ପିଟାଲରେ ସିକଲ୍ ସେଲ୍ ରୋଗ ସମ୍ପର୍କିତ ସ୍ବାସ୍ଥ୍ୟ ଶିବିରରେ ଆର୍ଯ୍ୟ ଯୋଗଦେଇଥିଲେ। ସିକିଲ୍ ସେଲ୍ ରୋଗୀଙ୍କ ସମସ୍ୟା ଦୂର ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ସିକିଲ୍ ସେଲ୍ ରୋଗ ସମ୍ପର୍କରେ କାର୍ଯ୍ୟରତ ସଂଗଠନ ପକ୍ଷରୁ ବିଭିନ୍ନ ସରକାୀ ହସ୍ପିଟାଲରେ ଏହି ରୋଗୀମାନେ ଅବହେଳାର ଶିକାର ହେଉଥିବା ଅଭିଯୋଗ ଉଠିଥିଲା। ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା, ନିୟମିତ ପରୀକ୍ଷା, ଆବଶ୍ୟକ ଔଷଧ ଓ ମାନବିକ ସେବା ଯୋଗାଇଦେବାକୁ ସଂଗଠନ ପକ୍ଷରୁ ଦାବି କରାଯାଇଥିଲା। ଅଭିଯୋଗଗୁଡ଼ିକୁ ଶୁଣି ଆର୍ଯ୍ୟ ସମ୍ପୃକ୍ତ ଅଧିକାରୀମାନଙ୍କ ସହ ଆଲୋଚନା କରି ସିକିଲ୍ ସେଲ୍ ରୋଗୀଙ୍କ ସମସ୍ୟାର ସମାଧାନ ଓ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ରୋଗୀମାନଙ୍କ ପ୍ରତି ଅବହେଳା ନ କରି ଆବଶ୍ୟକ ସ୍ବାସ୍ଥ୍ୟସେବା ଓ ସୁବିଧା ସୁନିଶ୍ଚିତ କରିବାକୁ ସେ ପରାମର୍ଶ ଦେଇଥିଲେ।