ଦାରିଙ୍ଗବାଡ଼ି, ୧୩।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିକୁ ଶନିବାର ଅପରାହ୍ନରେ ଓଡ଼ିଶା ପର୍ଯ୍ୟଟନ ବିଭାଗର ପ୍ରମୁଖ ସଚିବ ବଳବନ୍ତ ସିଂ ପହଞ୍ଚି ପର୍ଯ୍ୟଟନ କ୍ଷେତ୍ରର ବିକାଶ ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏଥିସହ ହୋମଷ୍ଟେ କରିବାକୁ ଆଗ୍ରହୀ ସ୍ଥାନୀୟ ବ୍ୟବସାୟୀ ଓ ସାଧାରଣ ଲୋକଙ୍କୁ ସରକାରଙ୍କ ନୀତି ସମ୍ପର୍କରେ ଅବଗତ କରାଇଛନ୍ତି।
ପ୍ରମୁଖ ସଚିବ ପ୍ରଥମେ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ବିଡିଓ ପ୍ରୀତିରଞ୍ଜନ ରଥ ଓ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ ପ୍ରମୁଖ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ପରେ ବ୍ଲକ ସଭାଗୃହରେ ଏକ କର୍ମଶାଳା ଆୟୋଜିତ ହୋଇଥିଲା। ବିଡିଓ ପ୍ରୀତିରଞ୍ଜନ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ପ୍ରମୁଖ ସଚିବ ବଳବନ୍ତ ସିଂ ଏବଂ ଅନ୍ୟତମ ଅତିଥି ଭାବେ ଜିଲା ପର୍ଯ୍ୟଟନ ଉନ୍ନୟନ ଅଧିକାରୀ ଶ୍ରୀନିବାସ ଷଡ଼ଙ୍ଗୀ ପ୍ରମୁଖ ଯୋଗଦେଇଥିଲେ।
ପ୍ରମୁଖ ସଚିବ ଉପସ୍ଥିତ ଅଞ୍ଚଳବାସୀ ଓ ହୋଟେଲ ମାଲିକମାନଙ୍କୁ ହୋମଷ୍ଟେ କରିବା ପାଇଁ ପ୍ରୋତ୍ସାହିତ କରିଥିଲେ। ରାଜ୍ୟ ସରକାର ହୋମଷ୍ଟେ କରୁଥିବା ମାଲିକମାନଙ୍କୁ ସବ୍ସିଡି ପ୍ରଦାନ କରିବା ସହ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ନିର୍ମାଣ ଖର୍ଚ୍ଚ ପ୍ରଦାନ କରିବେ ବୋଲି ସେ କହିଥିଲେ। ଏହାଦ୍ୱାରା ହୋମଷ୍ଟେ ମାଲିକମାନେ ସ୍ୱାବଲମ୍ବୀ ହେବା ସହ ଦାରିଙ୍ଗବାଡ଼ିକୁ ପର୍ଯ୍ୟଟକଙ୍କ ଆଗମନ ଆହୁରି ବୃଦ୍ଧି ପାଇବ ବୋଲି ସେ ମତ ଦେଇଥିଲେ।
ସେହିପରି ଦାରିଙ୍ଗବାଡ଼ିର ପର୍ଯ୍ୟଟନ କ୍ଷେତ୍ର ଲଭର୍ସ ପଏଣ୍ଟ ସମେତ ହିଲ୍ଭ୍ୟୁ ପାର୍କ, ମିଡିୟୁବାନ୍ଦା ଜଳପ୍ରପାତ, କିସୁବାଡ଼ି ଜଳପ୍ରପାତ ଓ ଡୁଲୁରୀ ପାଇନ୍ ବଣ ଆଦିର ବିକାଶ କରାଯିବା ସମ୍ପର୍କରେ ସେ ସୂଚନା ଦେଇଥିଲେ। ଦାରିଙ୍ଗବାଡ଼ିକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନ କ୍ଷେତ୍ରରେ ପରିଣତ କରିବାକୁ ରାଜ୍ୟ ସରକାର ଯୋଜନା କରିବା ସହ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି ବୋଲି ସେ କହିଥିଲେ।
ସମସ୍ତ ପର୍ଯ୍ୟଟନସ୍ଥଳୀର ବିକାଶ ମାଷ୍ଟରପ୍ଲାନ୍ ଅନୁଯାୟୀ କରାଯିବ ବୋଲି ସେ କହିଥିଲେ। ପର୍ଯ୍ୟଟକ ଦାରିଙ୍ଗବାଡ଼ି ଆସିଲେ ଅତିକମ୍ରେ ଦୁଇ ରାତି ରହିବା ଭଳି ବ୍ୟବସ୍ଥା କରିବା ଲକ୍ଷ୍ୟ ରହିଛି ବୋଲି ସେ ପ୍ରକାଶ କରିଥିଲେ। ଏଥିସହ ଦାରିଙ୍ଗବାଡ଼ିର ପର୍ଯ୍ୟଟନ କ୍ଷେତ୍ରର ମାନଚିତ୍ର ସମ୍ପୂର୍ଣ୍ଣ ବଦଳିଯିବ ବୋଲି କହିବା ସହ ହୋମଷ୍ଟେକୁ ବିଶେଷ ପ୍ରାଧାନ୍ୟ ଦେଇଥିଲେ।
ହୋମଷ୍ଟେର ଫାଇଦା ସମ୍ପର୍କରେ ବିଡିଓ ପ୍ରୀତିରଞ୍ଜନ ରଥ ମଧ୍ୟ ଉପସ୍ଥିତ ହୋଟେଲ ମାଲିକ ଓ ଜନସାଧାରଣଙ୍କୁ ବୁଝାଇଥିଲେ। ଆଗ୍ରହୀ ବ୍ୟକ୍ତିମାନେ କିପରି ଅନ୍ଲାଇନ୍ରେ ଆବେଦନ କରିବେ ଏବଂ ହୋମଷ୍ଟେ ଆରମ୍ଭ ହେବା ପରେ ସରକାରୀ ରିହାତି ପାଇବାର ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ସୂଚନା ଦିଆଯାଇଥିଲା।