ସ୍ବର୍ଗଦ୍ୱାର ପୁନରୁଦ୍ଧାର କାମର ସମୀକ୍ଷା

ପୁରୀ ଅଫିସ, ୩୦।୭: ସ୍ବର୍ଗଦ୍ୱାର ପାଇବ ନୂଆରୂପ। ମୃତଦେହ ଦାହ ପାଇଁ ଆସୁଥିବା ବନ୍ଧୁ ପରିଜନଙ୍କୁ ମିଳିବ ବିଶେଷ ସୁବିଧା। ସ୍ବର୍ଗଦ୍ୱାର ପୁନରୁଦ୍ଧାର ସହ ଏହାର ଚତୁଃପାର୍ଶ୍ୱକୁ ସୌନ୍ଦର୍ଯ୍ୟକରଣ କରାଯିବ। ବୁଧବାର ଜିଲାପାଳ ବଲୱନ୍ତ ସିଂ ସ୍ବର୍ଗଦ୍ୱାର ବୁଲି ଦେଖିବା ସହ ଚାଲିଥିବା ଉନ୍ନୟନମୂଳକ କାମର ସମୀକ୍ଷା କରିଛନ୍ତି। ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥା ମାଧ୍ୟମରେ ଗୋଟିଏ ସ୍ଥାନରେ ସମସ୍ତ ସୁବିଧା ଉପଲବ୍ଧ ହେବ। ଏଥିପାଇଁ ସ୍ବତନ୍ତ୍ର ଅଫିସ ଖୋଲାଯାଇ ପେଶାଦାରମାନଙ୍କୁ ନିଯୁକ୍ତ ଦିଆଯିବ। ମୃତଦେହ ଦାହ ପାଇଁ ଆସୁଥିବା ବ୍ୟକ୍ତିମାନେ ଯେପରି ଉତ୍ତମ ବ୍ୟବହାର ଓ ଆତିଥେୟତା ପାଇ ଭଲ ଅନୁଭୂତି ନେଇ ଫେରିବେ ଏଥିପ୍ରତି ଦୃଷ୍ଟି ଦିଆଯିବ। ପେଶାଦାରମାନେ କାର୍ଯ୍ୟର ତଦାରଖ କରିବେ। ଏଥିପାଇଁ ସ୍ବତନ୍ତ୍ର ନିର୍ଦ୍ଦେଶାବଳୀ ଜାରି ହେବ ବୋଲି ଜିଲାପାଳ କହିଛନ୍ତି। ପରେ ଗାନ୍ଧୀଘାଟରେ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଶବଦାହକମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ସେମାନଙ୍କ ଜୀବିକା ଉପାର୍ଜନ ମାନରେ ଉନ୍ନତି ସହ ପରିବାର ସଦସ୍ୟଙ୍କୁ ବୀମାଭୁକ୍ତ କରାଯିବା ଉପରେ ଜିଲାପାଳ ଗୁରୁତ୍ୱାରୋପ କରିଛନ୍ତି। ଏଥିରେ ପୁରୀ ପୌରସଂସ୍ଥା ନିର୍ବାହୀ ଅଧିକାରୀ ବିଜୟ ଦାଶ, ଓଡ଼ିଶା ସେତୁ ନିର୍ମାଣ ନିଗମ ପୁରୀ ଡିଭିଜନର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଭାତ ପାଣିଗ୍ରାହୀ, ପରାମର୍ଶଦାତା ସିଦ୍ଧାର୍ଥ ରାୟ ପ୍ରମୁଖ ଉପସ୍ଥିତ ଥିଲେ।