ଫୁଲୁଛି ମହାନଦୀ: ପୁରୀରେ ସମ୍ଭାବ୍ୟ ବନ୍ୟାସ୍ଥିତିକୁ ନେଇ ସମୀକ୍ଷା

ପୁରୀ ଅଫିସ,୨୯।୮: ହୀରାକୁଦ ଜଳଭଣ୍ଡାର ଗେଟ୍‌ ଖୋଲିବା ପରେ ମହାନଦୀ ଏବଂ ଏହାର ଶାଖା ନଦୀଗୁଡ଼ିକରେ ବନ୍ୟା ଆଶଙ୍କା ବଢ଼ିଛି। ପୁରୀ ଜିଲାରେ ବନ୍ୟା ହୋଇପାରେ ବୋଲି ଆଶଙ୍କା କରି ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲା ମଧ୍ୟଦେଇ ପ୍ରଭାହିତ ନଦୀଗୁଡ଼ିକ ଉଛୁଳିବାରୁ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାଶ ବର୍ମା ସମ୍ଭାବ୍ୟ ବନ୍ୟାସ୍ଥିତି ମୁକାବିଲାର ସମୀକ୍ଷା କରିଛନ୍ତି। ଶନିବାର ସର୍କିଟ ହାଉସ୍‌ ପରିସରରେ ଅନୁଷ୍ଠିତ ବୈଠକରେ ବିଭାଗୀୟ ଅଧିକାରୀଙ୍କୁ ସତର୍କ ଏବଂ ସଜାଗ ରହିବା ସହ ଜିଲାଦେଇ ପ୍ରବାହିତ ନଦୀଗୁଡ଼ିକର ବିଭିନ୍ନ ସ୍ଥାନରେ ଥିବା ଅସୁରକ୍ଷିତ ନଦୀବନ୍ଧ ଉପରେ ନଜର ରଖିବାକୁ ପରାମର୍ଶ ଦେଇଛନ୍ତି। ଏହି ବୈଠକରେ ଜିଲାପାଳ ବଲଓ୍ବନ୍ତ ସିଂହ, ଅତିରିକ୍ତ ଜିଲାପାଳ ପ୍ରଦୀପ କୁମାର ସାହୁ, ଉପଜିଲାପାଳ ଭବତାରଣ ସାହୁ ପ୍ରମୁଖଙ୍କ ସହିତ ଜଳସମ୍ପଦ ବିଭାଗ ଏବଂ ଡ୍ରେନେଜ୍‌ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ।