ନିଜସ୍ୱ ପକ୍କା କୋଠା ଥାଇ ଭଙ୍ଗାଦଦରା ଘରେ ଚାଲିଛି ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ: ଛାତ ଉପରେ ପାଲ ପକାଇ ଚାଲୁଛି କାମ

ଦାରିଙ୍ଗବାଡ଼ି, ୧୮।୧୦ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ଗ୍ରୀନବାଡ଼ି ପଞ୍ଚାୟତରେ ରାଜସ୍ୱ ନିରୀକ୍ଷକଙ୍କ ପାଇଁ ଏକ ନୂତନ ପକ୍କା କାର୍ଯ୍ୟାଳୟ ନିର୍ମାଣ କରାଯାଇଛି। କୋଠା ଓ ପାଚେରି ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ବିଦ୍ୟୁତ୍‌ ସଂଯୋଗ ହୋଇପାରିନାହିଁ। ଫଳରେ ନିଜସ୍ୱ ପକ୍କା କୋଠା ଥାଇ ମଧ୍ୟ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଦାରିଙ୍ଗବାଡ଼ି ସହରରେ ଥିବା ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ପରିସରର ଏକ ଭଙ୍ଗାଦଦରା ଘରେ ଚାଲିଛି।

ଏହାଦ୍ୱାରା ଗ୍ରୀନବାଡ଼ି ଅଞ୍ଚଳର ବାସିନ୍ଦାମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜମିଜମା ସମ୍ବନ୍ଧୀୟ କାର୍ଯ୍ୟ ଓ ବିଭିନ୍ନ ପ୍ରମାଣପତ୍ର ପାଇଁ ସେମାନଙ୍କୁ ଦୂରରେ ଥିବା କାର୍ଯ୍ୟାଳୟକୁ ଯିବାକୁ ପଡ଼ୁଛି। ଫଳରେ ଯାତାୟାତ ପାଇଁ ଅଯଥା ଖର୍ଚ୍ଚାନ୍ତ ହେବା ସହ ସମୟ ମଧ୍ୟ ନଷ୍ଟ ହେଉଛି।

କେବଳ ଗ୍ରାମବାସୀ ନୁହନ୍ତି, ଭଙ୍ଗାଦଦରା ଘରେ କାର୍ଯ୍ୟାଳୟ ଚାଲୁଥିବାରୁ ରାଜସ୍ୱ ନିରୀକ୍ଷକ ମଧ୍ୟ ଅସୁବିଧା ଭୋଗୁଛନ୍ତି। ବର୍ଷା ହେଲେ କାର୍ଯ୍ୟାଳୟ ଭିତରେ ଆଣ୍ଠୁଏ ପାଣି ଜମିଯାଉଥିବା ଅଭିଯୋଗ ହୋଇଛି। ବର୍ଷାଜଳରୁ ରକ୍ଷା ପାଇବା ପାଇଁ ଛାତ ଉପରେ ପାଲ ପକାଇ କାମ ଚଳାଯାଉଥିବା ଜଣାପଡ଼ିଛି।

ଏ ସମ୍ପର୍କରେ ଗ୍ରୀନବାଡ଼ିର ରାଜସ୍ୱ ନିରୀକ୍ଷକ ପ୍ରକାଶ କୁମାର ଦାସଙ୍କ ସହ ଯୋଗାଯୋଗ କରାଯିବାରୁ ସେ କହିଥିଲେ ଯେ, ବିଦ୍ୟୁତ୍‌ ସଂଯୋଗ ପାଇଁ ଆବେଦନ କରାଯାଇଛି। ଅନୁମୋଦନ ମିଳିବା ପରେ ବିଦ୍ୟୁତ୍‌ ସଂଯୋଗ ହେବ। ବିଦ୍ୟୁତ୍‌ ନଥିଲେ କମ୍ପ୍ୟୁଟର ଚାଲିବା ସମ୍ଭବ ନୁହେଁ। ତେଣୁ ବିଦ୍ୟୁତ୍‌ ସଂଯୋଗ ହେବା ପରେ ନୂତନ କୋଠାକୁ କାର୍ଯ୍ୟାଳୟ ସ୍ଥାନାନ୍ତର କରାଯିବ।

ସେ ଆହୁରି କହିଛନ୍ତି ଯେ, ବର୍ତ୍ତମାନ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଓ ବାସଭବନର ଆଜବେଷ୍ଟସ୍‌ ଛପର ଉପରେ ପାଲ ପକାଇ ମରାମତି କରାଯାଉଛି। ଏହି ଅସୁବିଧାର ସ୍ଥାୟୀ ସମାଧାନ ପାଇଁ ନୂତନ କୋଠାକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ଆବଶ୍ୟକ ବୋଲି ଅଞ୍ଚଳବାସୀ ମତ ପ୍ରକାଶ କରିଛନ୍ତି।

 

Dharitri – Odisha’s No.1 Odia Daily

Share